ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ମାମଲାରେ ଏବେ ଆମେରିକା ଭାରତ ସହ ଖେଳୁଛି। ପୂର୍ବରୁ ଭାରତକୁ କିଛି ଉପରଠାଉରିଆ ପ୍ରମାଣ ଦେଇଥିବା ଆମେରିକା ଏବେ କୋର୍ଟରେ ଅସଲ ପ୍ରମାଣ ଦାଖଲ କରିବାକୁ ମନା କରିଦେଇଛି। ଭାରତ ପାଖରେ ମାମଲାର ତର୍ଜମା ପାଇଁ ଗୋଟିଏ ପଟେ ବଳିଷ୍ଠ ପ୍ରମାଣ ନଥିବା ବେଳେ ଅନ୍ୟପଟେ ଆମେରିକାର ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ବାଇଡେନ ପ୍ରଶାସନ ବେଖାତିର କରିବା ଘଟଣା ମାମଲାକୁ ଜଟିଳ କରିଛି। ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ ନିଖିଲ ଗୁପ୍ତାଙ୍କ ଓକିଲଙ୍କୁ ପ୍ରମାଣ ଯୋଗାଇଦେବାକୁ ଆମେରିକା ସରକାର ରାଜି ହୋଇନାହିଁ। ଅଦାଲତର ଆଦେଶ ସତ୍ତ୍ବେ ଆମେରିକା ପ୍ରମାଣ ଦେବାକୁ ରାଜି ନହେବା ମାମଲାକୁ ସନ୍ଦେହ ଘେରକୁ ନେଇଯାଇଛି।
ପନ୍ନୁ ହତ୍ୟା ଷଡ଼ଯନ୍ତ୍ରର ଅଭିଯୁକ୍ତଙ୍କୁ ନ୍ୟୁୟର୍କ କୋର୍ଟରେ ହାଜର କରାଯିବା ପରେ ହିଁ ସୂଚନା ପ୍ରଦାନ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆମେରିକା କହିଥିବା ବେଳେ ଜଣେ ଖଲିସ୍ତାନୀ ଆତଙ୍କବାଦୀର ସୁରକ୍ଷା ପାଇଁ ଆମେରିକା ସର୍ବାଧିକ ଗୁରୁତ୍ବ ପ୍ରଦାନ କରିବା ମଧ୍ୟ ଚର୍ଚ୍ଚାରେ ରହିଛି। ଅଭିଯୁକ୍ତ ଗୁପ୍ତାଙ୍କ ଓକିଲଙ୍କ ପ୍ରସ୍ତାବ ଉପରେ ଜବାବ ରଖିବାକୁ ନ୍ୟୁୟର୍କର ଏକ ଅଦାଲତ ପୂର୍ବରୁ ସରକାରଙ୍କୁ କହିଥିଲେ ମଧ୍ୟ ଆମେରିକାର ଗୁଇନ୍ଦା ସଂସ୍ଥାମାନେ ପ୍ରମାଣ ସାର୍ବଜନୀନ କରିବାକୁ ଚାହିନାହାନ୍ତି। ପୂର୍ବରୁ କାନାଡ଼ା ମଧ୍ୟ ଯେଭଳି ବେପରୁଆ ଅଭିଯୋଗ ଆଣି ପ୍ରମାଣ ଦାଖଲ କରିନଥିଲା, ଏବେ ଆମେରିକା ମଧ୍ୟ ସେହି ରାସ୍ତାରେ ଯାଉଥିବାରୁ ଆଗକୁ ଏହି ପ୍ରସଙ୍ଗରେ ଭାରତ-ଆମେରିକା ସଂପର୍କ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ଗୁପ୍ତାଙ୍କ ଓକିଲ ଜାନୁଆରି ୪ ତାରିଖରେ ନ୍ୟୁୟର୍କର ଦକ୍ଷିଣ ଜିଲ୍ଲାର ୟୁଏସ ଡିଷ୍ଟ୍ରିକ୍ଟ କୋର୍ଟରେ ତାଙ୍କ ମହକିଲଙ୍କ ବିରୋଧରେ ପ୍ରତିରକ୍ଷା କାଗଜପତ୍ର ବା ପ୍ରମାଣ ଯୋଗାଇ ଦେବା ପାଇଁ ଆବେଦନ କରିଥିଲେ। ଏହା ଉପରେ ଜବାବ ରଖିବା ପାଇଁ ଆମେରିକୀୟ ଜିଲ୍ଲା ବିଚାରପତି ଭିକ୍ଟର ମାରେରୋ ଜାନୁଆରି ୮ ରେ ସରକାରଙ୍କୁ ୩ ଦିନ ସମୟ ଦେଇଥିଲେ। ୫୨ ବର୍ଷୀୟ ଗୁପ୍ତାଙ୍କ ବିରୋଧରେ ଗତବର୍ଷ ନଭେମ୍ବରରେ ଆମେରିକା ମାଟିରେ ପନ୍ନୁକୁ ହତ୍ୟା କରିବାର ଷଡ଼ଯନ୍ତ୍ରରେ ଜଣେ ଭାରତ ସରକାରୀ କର୍ମଚାରୀଙ୍କ ସହ କାମ କରୁଥିବା ଅଭିଯୋଗରେ ଫେଡେରାଲ ପ୍ରସିକ୍ୟୁଟରମାନେ ମାମଲା ରୁଜୁ କରିଥିଲେ। ଗୁପ୍ତାଙ୍କୁ ୨୦୨୩ ଜୁନ୍ ୩୦ରେ ଚେକ୍ ରିପବ୍ଲିକ୍ର ପ୍ରାଗରୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେଠାରେ ତାଙ୍କୁ ଅଟକ ରଖାଯାଇଛି। ଆମେରିକା ସରକାର ତାଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବାକୁ ଚାହୁଛନ୍ତି। ପନ୍ନୁ ମାମଲାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପୂର୍ବରୁ ଭାରତକୁ ଦୋଷାରୋପ କରିଥିବା ବେଳେ ଏବେ ଏହି ମାମଲାରେ ବିଭ୍ରାନ୍ତିକର ଆଭିମୁଖ୍ୟ ଗ୍ରହଣ କରିଛି। ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ ତଥାକଥିତ ହତ୍ୟା ଉଦ୍ୟମ ଭାରତ-ଆମେରିକା ଦ୍ୱିପାକ୍ଷିକ ସଂପର୍କ ପାଇଁ ଏକ ଝଟ୍କା ସାବ୍ୟସ୍ତ ହୋଇଛି।