ସଙ୍କଟ ସମୟରେ ଭାରତର ସହଯୋଗ ଭୁଲିହେବନି, ଭାରତ ଏବଂ ଭାରତୀୟ ନାଗରିକଙ୍କୁ ଧନ୍ୟବାଦ: ଟ୍ରମ୍ପ୍‌

ଆମେ ଏକାଠି ଏହି ଲଢ଼େଇ ଜିତିବା: ମୋଦୀ

ନୂଆଦିଲ୍ଲୀ: ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ରପ୍ତାନି ଉପରୁ କଟକଣା ହଟିବାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଟ୍ରମ୍ପ୍‌ କହିଛନ୍ତି, ଏଭଳି ସଙ୍କଟ ସମୟରେ ଭାରତର ସହଯୋଗକୁ କେବେ ବି ଭୁଲିହେବନି। ଅସାଧାରଣ ସମୟରେ ବନ୍ଧୁମାନଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ଆବଶ୍ୟକ ହୋଇଥାଏ। ତେବେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ପ୍ରସଙ୍ଗରେ ଭାରତ ଯେଉଁ ନିଷ୍ପତ୍ତି ନେଇଛି ‌ସେଥିପାଇଁ ଭାରତ ଏବଂ ଭାରତର ଲୋକମାନଙ୍କୁ ଧନ୍ୟବାଦ। ଟ୍ରମ୍ପ୍‌ ଏକ ଟ୍ବିଟ୍‌ କରି କହିଛନ୍ତି, ଏଭଳି ସଙ୍କଟ ସମୟରେ ମୋଦୀଙ୍କ ନେତୃତ୍ବ କେବଳ ଭାରତକୁ ସହଯୋଗ କରିନି ବରଂ ସମଗ୍ର ମାନବିକତାକୁ ସହଯୋଗ କରିଛନ୍ତି। ଏଥିପାଇଁ ଟ୍ରମ୍ପ୍‌ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ଧନ୍ୟବାଦର ଜବାବ ଦେଇ ମୋଦୀ କହିଛନ୍ତି, କୋଭିଡ୍‌ ୧୯ ବିରୋଧରେ ମାନବିକତାର ଲଢ଼େଇକୁ ସହ‌ଯୋଗ କରିବାପାଇଁ ଭାରତ ଯାହା ସମ୍ଭବ ତାହା କରିବ। ଆମେ ଏକାଠି ଏହି ଲଢ଼େଇରେ ଜିତିବା ବୋଲି ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି।

ଅନ୍ୟପକ୍ଷେ ହ୍ବାଇଟ୍‌ ହାଉସ ନ୍ୟୁଜ୍‌ କନଫରେନ୍ସରେ ମଧ୍ୟ ଟ୍ରମ୍ପ୍‌ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଆମର ସମସ୍ୟା ସମୟରେ ଆମେ ଭାରତକୁ ସହଯୋଗ ମାଗିଥିଲୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଅତି ଚମତ୍କାର କାମ କରିଛନ୍ତି। ଏହା ସବୁଦିନ ପାଇଁ ମନେ ରହିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଉଲ୍ଲେଖଯୋଗ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍‌ ଯୋଗେ କରୋନା ମୁକାବିଲା ପାଇଁ କଥା ହୋଇଥିଲେ। ଉଭୟ ରାଷ୍ଟ୍ରମୁଖ୍ୟ ଏକାଠି କରୋନା ମୁକାବିଲା ପାଇଁ ସହମତି ପ୍ରକାଶ କରିଥିଲେ। ତେବେ ଆମେରିକା ଭାରତଠାରୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ମାଗିଥିଲା। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ କହିବା ଅନୁଯାୟୀ ୩ଟି ଗୁଜରାଟୀ କମ୍ପାନି ଆମେରିକାକୁ ଏହି ଔଷଧ ପଠାଇବେ।

ସମ୍ବନ୍ଧିତ ଖବର