ଆମେରିକା ମାଗାଜିନ୍‌ ରିପୋର୍ଟ: ପାକିସ୍ତାନର ଏଫ୍‌-୧୬ ବିମାନ ହଜିନାହିଁ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବାଲାକୋଟ ଅଭିଯାନକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଆମେରିକାରେ ପ୍ରକାଶିତ ଏକ ରିପୋର୍ଟ ପାକିସ୍ତାନ ସପକ୍ଷରେ ଯାଇଛି I ପାକିସ୍ତାନର କୌଣସି ଏଫ୍‌-୧୬ ବିମାନ ହଜିନଥିବା ଏହି ରିପୋର୍ଟ କହିଛି I ଆମେରିକାର ‘ଫୋରନ୍‌ ପଲିସି’ ନାମକ ମାଗାଜିନ୍‌ ଆମେରିକାର ଦୁଇ ଜଣ ନିରାପତ୍ତା ଅଧିକାରୀଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଏଭଳି ଏକ ତଥ୍ୟ ପ୍ରକାଶ କରିଛି ଯାହା ସ୍ପଷ୍ଟ କରୁଛି ପାକିସ୍ତାନର କୌଣସି ଏଫ୍‌-୧୬ ବିମାନକୁ ଭାରତ ଧ୍ବଂସ କରିନାହିଁ I
ରିପୋର୍ଟ ଅନୁଯାୟୀ, ବାଲାକୋଟ ଆକ୍ରମଣରେ ପାକିସ୍ତାନକୁ ଯୋଗାଇଥିବା ଏଫ୍‌-୧୬ ବିମାନଗୁଡିକର ନିରୀକ୍ଷଣ ପାଇଁ ଆମେରିକାକୁ ନିମନ୍ତ୍ରଣ କରିଥିଲା ପାକିସ୍ତାନ ସରକାର I ନିରୀକ୍ଷଣ କାର୍ଯ୍ୟ ବିଳମ୍ବରେ ହୋଇଥଲେ ମଧ୍ୟ କୌଣସି ପାକିସ୍ତାନୀ ଏଫ୍‌-୧୬ ବିମାନ ଧ୍ବଂସ ହୋଇନଥିବା ଆମେରିକା ଅଧିକାରୀମାନେ ଜାଣିବାକୁ ପାଇଥିଲେ I ସୂଚନାଥାଉକି, ଚୁକ୍ତି ଅନୁସାରେ ଏହି ବିମାନଗୁଡିକୁ ଯୋଗାଇଥିବା ଦେଶ ଉକ୍ତ ବିମାନଗୁଡିକର ନିରୀକ୍ଷଣ କରିପାରିବ I ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ ଅଭିଯାନରେ ଫେବୃଆରୀ ୨୭ରେ ପାକିସ୍ତାନର ଏକ ଏଫ୍‌-୧୬ ବିମାନ ଧ୍ବଂସ କରିଦେଇଥିବା ଅଭିଯୋଗ କରିଥିଲା ଭାରତର ବାୟୁସେନା I ଭାରତର ମିଗ୍‌-୨୧ବିସନ୍‌ ବିମାନ ପାକିସ୍ତାନର ଉକ୍ତ ଏଫ୍‌-୧୬ କୁ ଖସାଇଦେଇଥିବା ଯୁକ୍ତି ବଢିଥିଲା ବାୟୁସେନା I ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବାୟୁସେନାର ଅଧିକାରୀମାନେ ଧ୍ବଂସ ହୋଇଥିବା ଏଫ୍‌-୧୬ ବିମାନର ଧ୍ୱଂସାବଶେଷ ଓ ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରୁଥିବା ଏଏମ୍‌ଆର୍‌ଏଏଏମ୍‌ କ୍ଷେପଣାସ୍ତ୍ରର ଧ୍ବଂସଖଣ୍ଡକୁ ଦେଖାଇଥିଲେ I ଭାରତ ପକ୍ଷରୁ ଦାବି କରାଯାଇଥିଲା ଯେ ଆତଙ୍କବାଦର ନିପାତ ପାଇଁ ଆମେରିକା ଯେଉଁ ବିମାନଗୁଡିକ ପାକିସ୍ତାନକୁ ଦେଇଛି, ପାକିସ୍ତାନ ତାହା ଭାରତ ବିରୋଧରେ ବ୍ୟବହାର କରୁଛି I ପରବର୍ତୀ ସମୟରେ ଭାରତ ପକ୍ଷରୁ ମଧ୍ୟ ଆମେରିକାର ଦୃଷ୍ଟି ଆକର୍ଷଣ କରାଯାଇ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଘେରିବାକୁ ଚେଷ୍ଟା କରିଛି ଭାରତ I ଆମେରିକାରେ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ପାକିସ୍ତାନ ତରଫରୁ ସେନାର ପ୍ରବକ୍ତା ଅସିଫ୍‌ ଗଫୁର୍‌ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଭାରତ ମିଥ୍ୟା କହିବା ବନ୍ଦ କରୁ ଏବଂ ପ୍ରକୃତରେ ଭାରତର ଯାହା କ୍ଷତି ହୋଇଛି ତାହା ସ୍ପଷ୍ଟ କରୁ I

ରିପୋର୍ଟକୁ ଭାରତୀୟ ବାୟୁସେନାର ଖଣ୍ଡନ
ଆମେରିକା ମାଗାଜିନ୍‌ରେ ପ୍ରକାଶ ପାଇଥିବା ତଥ୍ୟ ପାକିସ୍ତାନ ସପକ୍ଷରେ ଯାଉଥିବା ବେଳେ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଭାରତୀୟ ବାୟୁସେନା ଏହା ଉପରେ ପ୍ରତିକ୍ରିୟା କରିଛି ା ଫେବୃଆରୀ ୨୭ରେ ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନକୁ ନସେରା ସେକ୍ଟର୍‌ରେ ଖସାଇଛି ବୋଲି ପୁଣି ଦୋହରାଇଛି I ଭାରତର ମିଗ୍‌-୨୧ ଲଢୁଆ ବିମାନ ପାକିସ୍ତାନର ବିମାନକୁ ଧ୍ବଂସ କରିଥିବା ସ୍ପଷ୍ଟ କରିଛି ଭାରତୀୟ ବାୟୁସେନା I

ସମ୍ବନ୍ଧିତ ଖବର