ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନ:ଟ୍ରମ୍ପ୍‌ଙ୍କୁ ଝଟ୍‌କା

ନିମ୍ନ ସଦନରେ ଡେମୋକ୍ରାଟିକ୍‌କୁ ସଂଖ୍ୟାଗରିଷ୍ଠତା

ୱାସିଂଟନ: ଆମେରିକାରେ ଅନୁଷ୍ଠିତ ମଧ୍ୟବର୍ତ୍ତୀ ନିର୍ବାଚନର ପରିଣାମ ଦେଶର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ଡୋନାଲ୍‌ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ସଦନର ଉଭୟ ଗୃହରେ ପୂର୍ବରୁ ସଂଖ୍ୟାଗରିଷ୍ଠ ଥିବା ବେଳେ ଏବେ ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେ‌ଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍‌ସଙ୍କୁ ସଂଖ୍ୟାଗରିଷ୍ଠତା ମିଳିଛି। ତେବେ ଉଚ୍ଚ ସଦନ ସିନେଟ୍‌ରେ ରିପବ୍ଲିକାନର ସଂଖ୍ୟାଗରିଷ୍ଠତା କାଏମ ରହିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସଂକଟ ବଢ଼ିଯାଇଛି। ଗତ ରାଷ୍ଟ୍ରପତି ନିର୍ବାଚନରେ ରୁଷ୍‌ର ହସ୍ତକ୍ଷେପ ମାମଲାର ତଦନ୍ତ ପ୍ରକ୍ରିୟା ଏବେ ଆଗକୁ ବଢ଼ିବ ଏବଂ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ଚଳାଇବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।
ରାଷ୍ଟ୍ରପତି ନିର୍ବାଚନର ୨ ବର୍ଷ ପରେ ରିପବ୍ଲିକାନ ପାର୍ଟିର ଏଭଳି ପରାଜୟ ଦଳର ଦୁର୍ବଳ ସ୍ଥିତିକୁ ପଦାରେ ପକାଇ ଦେଇଛି । ୨୦୧୬ ନିର୍ବାଚନ ପରେ ଟ୍ରମ୍ପ୍‌ଙ୍କ ରିପବ୍ଲିକାନ୍‌ ପାର୍ଟି ସଂସଦର ଉଭୟ ଗୃହରେ ସଂଖ୍ୟାଗରିଷ୍ଠ ରହିଥିଲା। କୌଣସି ବିଲ୍ ଗୃହୀତ କରିବା ପାଇଁ ସରକାର କୌଣସି ବଡ଼ ପ୍ରତିବନ୍ଧକକୁ ସାମ୍ନା କରୁନଥିଲେ । ଏବେ ମଧ୍ୟବର୍ତ୍ତୀ ନିର୍ବାଚନ ପରେ ସ୍ଥିତି ବଦଳି ଯାଇଛି । ମଧ୍ୟବର୍ତ୍ତୀ ନିର୍ବାଚନର ପରିଣାମ ଟ୍ରମ୍ପ୍‌ଙ୍କ ବିରୋଧରେ ଜନମତ ସଂଗ୍ରହ ବୋଲି କୁହାଯାଉଥିବା ବେଳେ ଡେମୋକ୍ରାଟ୍‌ସଙ୍କ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ୪୩୫ ଆସନ ଥିବା ବେଳେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାୟ ୨୪୫ ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଛି। ତେବେ ସିନେଟରେ ରିପବ୍ଲିକାନ ପାର୍ଟିକୁ ସଫଳତା ମିଳିଛି ଏବଂ ମୋଟ ୧୦୦ ଆସନରୁ ଦଳକୁ ୫୪ଟି ଆସନ ମିଳିଛି। ୮ ବର୍ଷ ବ୍ୟବଧାନରେ ଡେମୋକ୍ରାଟିକ୍‌ ପାର୍ଟି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ପୁଣି ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଏବେ ଟ୍ରମ୍ପ୍‌ ପ୍ରଶାସନର ଜନବିରୋଧୀ ନୀତିଗୁଡ଼ିକ ଉପରେ ଅଙ୍କୁଶ ଲାଗିବ ବୋଲି ଦଳର ଡେମୋକ୍ରାଟିକ ନେତା ନେନ୍‌ସି ପଲୋସି କହିଛନ୍ତି।

ସମ୍ବନ୍ଧିତ ଖବର