ଆମେରିକା ଖବରକାଗଜ ଦପ୍ତରରେ ଆଖିବୁଜା ଗୁଳିମାଡ଼, ୫ ମୃତ

ଓ୍ଵାସିଂଟନ: ଆମେରିକା ମେରିଲ୍ୟାଣ୍ଡର ‘କ୍ୟାପିଟାଲ ଗେଜେଟ୍‌’ ଖବର କାଗଜ ଦପ୍ତରରେ ଗୁରୁବାର ହୋଇଥିବା ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୭ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମେରିଲ୍ୟାଣ୍ଡ ପୁଲିସ୍‌ ଗୁଳିକାଣ୍ଡ ଘଟାଇଥିବା ଆନ୍ନାଫୋଲିସର ଜଣେ ଯୁବକ ଜେରୋଡ ରାମୋସ୍‌(୩୮)କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ପୂର୍ବ ଶତ୍ରୁତା କାରଣରୁ ଜେରୋଡ ଏଭଳି ବର୍ବର କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କ୍ୟାପିଟାଲ ଗେଜେଟ ଖବର କାଗଜରେ ପ୍ରକାଶିତ ହେଉଥିବା ଖବରକୁ ବିରୋଧ କରି ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ସମୟରେ ରାମୋସ୍‌ ସମାଲୋଚନା କରିଥିବା ଜଣାପଡ଼ିଛି। ୨୦୧୨ ମସିହାରେ ଏହି ଖବରକାଗଜରେ ବାହାରିଥିବା ଏକ ସ୍ତମ୍ଭକୁ ବିରୋଧ କରି ଅଭିଯୁକ୍ତ ରାମୋସ୍‌ ଏକ ମାନହାନି ମକଦ୍ଦମା ଦାଏର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ମାମଲାରେ ସେ ହାରିଯିବା ପରେ ଖବରକାଗଜ ଉପରେ ପ୍ରତିଶୋଧ ନେବାକୁ ମଉକା ଖୋଜୁଥିଲା। ଆକ୍ରମଣକାରୀ ଖବରକାଗଜ ଅଫିସ ମଧ୍ୟକୁ ଗୁରୁବାର ମଧ୍ୟାହ୍ନରେ ପଶିବା ପରେ ସେଠାରେ ଆଖିବୁଜା ଗୁଳିମାଡ଼ କରିଥିଲା। ମାତ୍ର ୬୦ ସେକେଣ୍ଡ ମଧ୍ୟରେ ଆକ୍ରମଣକାରୀ ସଟ୍‌ ଗନ୍‌ରେ ୧୨-୧୪ ଜଣଙ୍କ ଉପରେ ଗୁଳିମାଡ଼ କରିଥିବା ପ୍ରତ୍ୟେକ୍ଷଦର୍ଶୀ ପୁଲିସକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର