ଶାନ୍ତି ରକ୍ଷାପାଇଁ ଆମେରିକାର ଅନୁରୋଧ

ଭାରତ, ପାକିସ୍ତାନ ସଂଯମ ରକ୍ଷା କରନ୍ତୁ : ଜାତିସଂଘ

ୱାସିଂଟନ୍‌: ଭାରତ ସରକାରଙ୍କ ଦ୍ବାରା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଏବେ ଜମ୍ମୁ କଶ୍ମୀରରେ ଯେଉଁ ସ୍ଥିତି ଲାଗି ରହିଛି ତାକୁ ଆମେରିକା ଭଲଭାବେ ଅନୁଧ୍ୟାନ କରୁଛି। ସମସ୍ତ ପକ୍ଷଙ୍କୁ ସୀମାରେ ଶାନ୍ତି ରକ୍ଷାପାଇଁ ଆମେରିକା ଅନୁରୋଧ କରିଛି। ପାକିସ୍ତାନର ନାଁ ନନେଇ ବିଦେଶ ବିଭାଗ ମୁଖପାତ୍ର ମୋରଗାନ୍‌ ଅର୍ଟାଗସ୍‌ କହିଛନ୍ତି, ସମସ୍ତ ପକ୍ଷଙ୍କୁ ମୁଁ ଏଲ୍‌ଓସିରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ କହୁଛି। ଗତକାଲି ଭାରତ ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ କଶ୍ମୀର ରାଜ୍ୟ ପୁନର୍ଗଠନ ସମ୍ପର୍କରେ ୫ ପ୍ରମୁଖ ରାଷ୍ଟ୍ର ତଥା ଆମେରିକା‌, ବ୍ରିଟେନ୍‌, ଚୀନ୍‌, ଫ୍ରାନ୍ସ ଏବଂ ରୁଷ୍‌କୁ ଅବଗତ କରିଥିଲା। ଅନ୍ୟପକ୍ଷେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗେଟର୍ସ ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମତା ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଏବେ ଯେଉଁ ସ୍ଥିତି ଲାଗି ରହିଛି ସେନେଇ ଜାତିସଂଘ ପକ୍ଷରୁ କଡ଼ା ନଜର ରଖିଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ ଏବେ ଉତ୍ତେଜନ ବଢ଼ିଥିବାରୁ ଜାତିସଂଘ ପକ୍ଷରୁ ସଂଯମତା ରକ୍ଷା ପାଇଁ କୁହାଯାଇଛି। ଭାରତ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଇସଲାମାବାଦ୍‌ ଗତକାଲି ଭାରତୀୟ ହାଇ କମିସନର ଅଜୟ ବିସାରିଆଙ୍କୁ ସମନ୍‌ କରିଥିଲା। ପାକିସ୍ତାନ ଏହି ଘୋଷଣାକୁ ବେଆଇନ ବୋଲି କହିଛି।

ଇମ୍ରାନ୍‌ଙ୍କ ଧମକ: ପୁଲୱାମା ଭଳି ସ୍ଥିତି ସୃଷ୍ଟି ହେବଇସଲାମାବାଦ୍‌, ୬/୮ : ଧାରା ୩୭୦ ଉଚ୍ଛେଦକୁ ପାକିସ୍ତାନ ପ୍ରବଳ ବିରୋଧ କରିଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତଙ୍କ ଦ୍ବାରସ୍ଥ ହେବ ବୋଲି କହିଛି। ‌ଗୋଟିଏ ପଟେ ଧାରା ୩୭୦ ଉଚ୍ଛେଦ ପରେ ଜାତିସଂଘ ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମତା ରକ୍ଷା କରିବାକୁ କହିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କିନ୍ତୁ ଆଜି ଭାରତକୁ ପୁଣି ଏକ ଚେତାବନୀ ଦେଇଛନ୍ତି। ପାକିସ୍ତାନ ସଂସଦର ମିଳିତ ଅଧିବେଶଦରେ ଉଦ୍‌ବୋଧନ ଦେଇ ଇମ୍ରାନ୍‌ କହିଛନ୍ତି, ଆମେ କଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବୁ ଏବଂ ଭାରତରେ ବିଜେପି ନେତୃତ୍ବାଧୀନ ସରକାର ଅଧୀନରେ ସଂଖ୍ୟାଲଘୁ ସମ୍ପ୍ରଦାୟ କିଭଳି ଭେଦଭାବର ଶିକାର ହୋଇଛନ୍ତି ସେନେଇ ଆମେ ସ୍ବର ଉତ୍ତୋଳନ କରିବୁ। ଇମ୍ରାନ୍‌ କହିଛନ୍ତି, ଭାରତ କଶ୍ମୀରର ଭୌଗୋଳିକ ସ୍ଥିତି ବଦଳାଇବାକୁ ଚେଷ୍ଟା କରିଛି। ଭାରତ ଏଭଳି କରି ଜାତିସଂଘ ସଂକଳ୍ପ ବିରୋଧରେ ଯାଇଛି ଏବଂ ନିଜ ସମ୍ବିଧାନ ବିରୋଧରେ ମଧ୍ୟ ଯାଇଛି। ତେବେ ଭାରତରେ ଏବେ ଯେଉଁ ଭେଦଭାବ ସୃଷ୍ଟି ହୋଇଛି ଏହାଦ୍ବାରା ପୁଣିଥରେ ପୁଲୱାମା ଭଳି ସ୍ଥିତି ସୃଷ୍ଟି ହୋଇପା‌ରେ ବୋଲି ଇମ୍ରାନ୍‌ ଚେତାବନୀ ଦେଇଛନ୍ତି। ଭାରତ ଯେଭଳି କାର୍ଯ୍ୟ କରୁଛି ଏହାଦ୍ବାରା କଶ୍ମୀରରେ ଆହୁରି ଅଶାନ୍ତି ବଢ଼ିବ ବୋଲି ସେ କହିଛନ୍ତି। ସେହିଭଳି ପାକ୍‌ ସେନା ମୁଖ୍ୟ ଜେନେରାଲ କମର ବଜ୍‌ୱା ଆଜି ଧମକ ଦେଇ କହିଛନ୍ତି, କଶ୍ମୀର ଲୋକଙ୍କୁ ସାହାଯ୍ୟ କରିବାପାଇଁ ପାକିସ୍ତାନ ସେନା ‌ଯେକୌଣସି ସ୍ତରକୁ ଯାଇପାରିବ। ରାୱଲପିଣ୍ଡିରେ ଜେନେରାଲ ହେଡକ୍ବାର୍ଟରରେ ଶୀର୍ଷ କମାଣ୍ଡରମାନଙ୍କ ସହ ବୈଠକ କରିବାପରେ କମର ବଜ୍‌ୱା କହିଛନ୍ତି , ଆମେ ପ୍ରସ୍ତୁତ ଅଛୁ ଏବଂ କଶ୍ମୀର ଲୋକଙ୍କୁ ସହଯୋଗ କରିବାପାଇଁ ଆମେ ‌ଯେକୌଣସି ସ୍ତରକୁ ଯାଇପାରିବୁ।

ସମ୍ବନ୍ଧିତ ଖବର