ଆମେରିକା-ଦକ୍ଷିଣ କୋରିଆ ବାୟୁସେନା ସମରାଭ୍ୟାସ

ସିଓଲ(ଦକ୍ଷି କୋରିଆ): ସୋମବାରଠାରୁ ଦକ୍ଷିଣକୋରିଆ ଓ ଆମେରିକା ବାୟୁସେନା ପକ୍ଷରୁ ପାଞ୍ଚଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଏଫ୍‌-୨୨ ରାଫ୍ଟର ଷ୍ଟିଲ୍ଥ ଲଢ଼ୁଆ ବିମାନ ସମେତ ଉଭୟ ଦେଶର ପ୍ରାୟ ୨୩୦ଟି ବିମାନ ଭାଗ ନେଇଛନ୍ତି। ଏଥି ସହିତ ୧୨ ହଜାର ସୈନିକ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ଦୁଇ ଦେଶର ଏହା ବୃହତ୍ତମ ସମରାଭ୍ୟାସ ବୋଲି କୁହାଯାଉଥିବା ବେଳେ ଏହାଦ୍ୱାରା ଆମେରିକା ଆଣବିକ ଯୁଦ୍ଧ ପାଇଁ ଉସୁକାଉଛି ବୋଲି ଉତ୍ତର କୋରିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ଉଲ୍ଲେଖ ଥାଉ କି, ଗତ ସପ୍ତାହରେ ଉତ୍ତର କୋରିଆ ଏହାର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ହ୍ଵାସଙ୍ଗ-୧୫ ପରୀକ୍ଷଣ କରିବା ପରେ ଆମେରିକାର ଚିନ୍ତା ବଢ଼ିଯାଇଥିଲା। ହ୍ଵାସଙ୍ଗ-୧୫ର ଲକ୍ଷ୍ୟଭେଦ ଭିତରେ ଆମେରିକାର ସମସ୍ତ ସହର ଆସୁଛି ବୋଲି ଉତ୍ତର କୋରିଆ ଦାବି କରିଥିଲା ବେଳେ କୌଣସି ପରିସ୍ଥିତିରେ ଯୁଦ୍ଧ ହେଲେ ଉତ୍ତର କୋରିଆ ସମୂଳ ଧ୍ୱଂସ ପାଇଯିବ ବୋଲି ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଧମକ ମିଳିଥିଲା। ଏ ପରିପ୍ରେକ୍ଷୀରେ ଦକ୍ଷିଣ କୋରିଆ ସହ ଆମେରିକା ମିଶି ଏପରି ବାୟୁସେନା ସମରାଭ୍ୟାସ କରିବା ଠିକ୍‌ ହେବନାହିଁ ବୋଲି ଋଷିଆ ଓ ଚୀନ୍‌ ଚିନ୍ତା ପ୍ରକଟ କରିଥିଲେ। ତେବେ ସେ ସବୁକୁ ଭ୍ରୂକ୍ଷେପ ନକରି ଆମେରିକା ଏଭଳି ଯୁଦ୍ଧାଭ୍ୟାସ ଜାରି ରଖିଥିବା ବେଳେ ଏହା ଦକ୍ଷିଣ କୋରିଆ ସହ ହୋଇଥିବା ପୂର୍ବ ନିର୍ଦ୍ଧାରିତ ଯୋଜନାର ଅଂଶବିଶେଷ ବୋଲି ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର