ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ ଥିଲା କିନ୍ତୁ ବିଶ୍ୱ ସମୁଦାୟ, ବିଶେଷତଃ ଆମେରିକାର ଚାପ ପରେ ଚୁପ୍ ରହିବାକୁ ନିଷ୍ପତ୍ତି ନେଇଥିଲା। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଏହା କହିଛନ୍ତି। ମୁମ୍ବାଇରେ ପାକିସ୍ତାନର ଲସ୍କର-ଏ-ତଏବା ଆତଙ୍କବାଦୀ ସଂଗଠନ ଦ୍ୱାରା ଆକ୍ରମଣ ସମୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କ୍ଷମତାରେ ଥିଲା। ସେତେବେଳେ ଗୃହମନ୍ତ୍ରୀ ଥିଲେ ପି ଚଦମ୍ବରମ୍। ଚିଦମ୍ବରମଙ୍କ ମନ୍ତବ୍ୟକୁ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି। ଏପରି ସ୍ବୀକାରୋକ୍ତିକୁ ‘ବହୁତ କମ୍, ବହୁତ ବିଳମ୍ବ’ ବୋଲି ସେମାନେ କହିଛନ୍ତି।

Advertisment

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦମ୍ବରମ୍ ପ୍ରକାଶ କରିଛନ୍ତି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ତତ୍କାଳୀନ ୟୁପିଏ ସରକାର ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲା। ଚିଦମ୍ବରମ୍ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ସମଗ୍ର ବିଶ୍ୱ ଆମ ଉପରେ ଚାପ ପକାଇ କହିଥିଲା- ‘ଯୁଦ୍ଧ ଆରମ୍ଭ କର ନାହିଁ’। ସେ କହିଛନ୍ତି, ଆମେରିକାର ବୈଦେଶିକ ସଚିବ ଥିବା କଣ୍ଡୋଲିଜା ରାଇସ୍ ମୁଁ ଦାୟିତ୍ୱ ଗ୍ରହଣ କରିବାର ଦୁଇ କିମ୍ବା ତିନି ଦିନ ମଧ୍ୟରେ ମୋତେ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀ ଆସିଥିଲେ। ସେ ଆମକୁ କହିଲେ, ‘ଦୟାକରି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ’। ମୁଁ କହିଲି ଏହା ଏକ ନିଷ୍ପତ୍ତି ଯାହା ସରକାର ନେବେ। ଚିଦମ୍ବରମ୍ ଆହୁରି କହିଛନ୍ତି ଯେ, ୨୬/୧୧ ମୁମ୍ବାଇ ଆକ୍ରମଣ ଚାଲିଥିବା ସମୟରେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତିଶୋଧ ନେବା ବିଷୟରେ ଆଲୋଚନା କରିଥିଲେ। ତେବେ ୟୁପିଏ ସରକାରଙ୍କୁ ଏହି ସମୟରେ ବୈଦେଶିକ ମନ୍ତ୍ରାଳୟ ଆକ୍ରମଣ ନ କରିବାକୁ ପରାମର୍ଶ ଦେଇଥିଲା। 

ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ ନରମ ଆଭିମୁଖ୍ୟ ପାଇଁ ବିଜେପି ଅନେକ ସମୟରେ କଂଗ୍ରେସକୁ ଦାୟୀ କରିଛି। ଚିଦମ୍ବରମ୍‌ଙ୍କ ସଦ୍ୟତମ ଦାବି ପରେ ଶାସକ ବିଜେପିର ପ୍ରତିକ୍ରିୟା ମିଳିଛି। ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ବହୁତ ବିଳମ୍ବ ହୋଇଛି, ବହୁତ କମ୍। ୧୭ ବର୍ଷ ପରେ, ପୂର୍ବତନ ଗୃହମନ୍ତ୍ରୀ ଚିଦମ୍ବରମ୍ ସ୍ୱୀକାର କରିଛନ୍ତି ଯେ, ଦେଶ ଯାହା ଜାଣିଥିଲା - ବିଦେଶୀ ଶକ୍ତିର ଚାପ ହେତୁ ୨୬/୧୧କୁ ଭୁଲ୍ ଭାବରେ ପରିଚାଳନା କରାଯାଇଥିଲା। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ କଂଗ୍ରେସକୁ ସମାଲୋଚନା କରିବା ସହ ଏହାକୁ ଭାରତବିରୋଧୀ ବୋଲି କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରୁ ବୋଲି ସୋନିଆ ଗାନ୍ଧୀ ଚାହୁ ନ ଥିଲେ ବୋଲି ସେ ଏକ୍ସରେ ଲେଖିଛନ୍ତି।