ଆମେରିକା-ଉତ୍ତର କୋରିଆ ବିବାଦ ତେଜିଲା

ଟ୍ରମ୍ପ୍‌-କିମ୍‌ ଶିଖର ବୈଠକ ବାତିଲ୍‌ ଆଶଙ୍କା

ଓ୍ଵାସିଂଟନ: ଉତ୍ତରକୋରିଆ ଓ ଆମେରିକା ମଧ୍ୟରେ ପୁଣିଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଛି। ପରମାଣୁ ନିରସ୍ତ୍ରୀକରଣ ପାଇଁ ଅଧିକ ଚାପ ପ୍ରୟୋଗ କରାଗଲେ ଉଭୟ ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ଐତିହାସିକ ଶିଖର ସମ୍ମିଳନୀ ରଦ୍ଦ କରିଦେବାକୁ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ ଧମକ ଦେବା ପରେ ପୁଣିଥରେ ପୂର୍ବଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତରକୋରିଆ ପ୍ରତି ଆମେରିକା ପୂର୍ବବତ୍‌ ଏହାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ୧୨ ତାରିଖରେ ସିଙ୍ଗାପୁରରେ କିମ୍‌ ଜଙ୍ଗ ଉନ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଐତିହାସିକ ଆଲୋଚନା ହେବ ନା ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ସେପଟେ ଦକ୍ଷିଣ କୋରିଆ ସହ ମଧ୍ୟ ଉତ୍ତର କୋରିଆର ସମ୍ମିଳନୀକୁ ରଦ୍ଦ କରି ଦିଆଯାଇଛି। ଦୀର୍ଘ ୫୮ ବର୍ଷର ଶତ୍ରୁତାକୁ ଭୁଲି ଦୁଇ କୋରିଆ ଚଳିତ ମାସରେ ପୁଣିଥରେ ବନ୍ଧୁତ୍ୱର ସମ୍ପର୍କକୁ ଆଗକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସମସ୍ତ ଶାନ୍ତି ପ୍ରୟାସ ଓ ବିଶ୍ୱାସ ସୃଷ୍ଟିକାରୀ ଯୋଜନାକୁ ଭଣ୍ଡୁର କରିବା ପଛରେ ଚୀନ୍‌ର ହାତ ଥିବା ଚର୍ଚ୍ଚା ହେଉଛି। ଆମେରିକା ସହ ଆଲୋଚନା ନେଇ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ନିଷ୍ପତ୍ତି ନେବା ପରେ ସେ ଚୀନ ଗସ୍ତ କରିଥିଲେ। ତେବେ ଏହି ଗସ୍ତ ସମୟରେ ଚୀନ ଆର୍ଥିକ ସହାୟତାର ପ୍ରଲୋଭନ ଦେଖାଇ ଉତ୍ତର କୋରିଆ ଭଳି ଏକ ପରମାଣୁ ଶକ୍ତିଶାଳୀ ରାଷ୍ଟ୍ରକୁ ଆମେରିକାର ବନ୍ଧୁ ତାଲିକାରୁ ବାଦ୍‌ ଦେବା ପାଇଁ କୂଟନୀତି ପ୍ରୟୋଗ କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର