ବିଶ୍ୱକୁ ସତର୍କ କରାଇଲା ଆମେରିକା:ପରମାଣୁ ଯୁଦ୍ଧ ଆଶଙ୍କା ବଢ଼ିଚାଲିଛି

ଥାଡ୍‌ ମୁତୟନ କଲା ଦକ୍ଷିଣ କୋରିଆ

ସିଓଲ: ଉତ୍ତର କୋରିଆ ପଟୁ ପରମାଣୁ ଆକ୍ରମଣ ଆଶଙ୍କା ବଢ଼ିଚାଲିଛି। ସମଗ୍ର ବିଶ୍ୱ ପାଇଁ ଏହା ଭୟଙ୍କର ବିପଦ ସୃଷ୍ଟି କରିବ ଏବଂ ଏହାର ମୁକାବିଲା ପାଇଁ ତୟାର ରହିବାକୁ ହେବ ବୋଲି ଆଜି ଆମେରିକା ପ୍ରତିରକ୍ଷା ସଚିବ ଜେମ୍‌ସ ମାଟିସ୍‌ କହିଛନ୍ତି। ଉତ୍ତର କୋରିଆ ସହ କୂଟନୈତିକ ଆଲୋଚନା ବିଫଳ ହୋଇଥିବାରୁ ଯେ କୌଣସି ମୁହୂର୍ତ୍ତରେ ପରମାଣୁ ଯୁଦ୍ଧ ଘଟିପାରେ ବୋଲି ଆମେରିକା ଆଶଙ୍କା କରୁଛି । ଆମେରିକା ସହାୟତାରେ କୋରିଆ ଉପଦ୍ୱୀପକୁ ଛାରଖାର ହେବାରୁ ରକ୍ଷା କରିବା ପାଇଁ ବ୍ୟାପକ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତର କୋରିଆର କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଦକ୍ଷିଣ କୋରିଆ ଆମେରିକାର ଥାଡ୍‌ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି। ଉତ୍ତର କୋରିଆ ତା’ର ସମସ୍ତ ପରମାଣୁ ଅସ୍ତ୍ରକୁ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରି ରଖିବା ସହ ଆଇସିବିଏମ୍‌ କ୍ଷେପଣାସ୍ତ୍ରଗୁଡ଼ିକୁ ଦକ୍ଷିଣ କୋରିଆ ଏବଂ ଆମେରିକା ଆଡ଼କୁ ମୁହାଁଇ ମୁତୟନ କରିଛି ।

ଦକ୍ଷିଣ କୋରିଆ ସହ ଏବେ ଆମେରିକା ରଣନୀତିକ ଆଲୋଚନା ଜାରି ରଖିଛି ଏବଂ ପ୍ରତିରକ୍ଷା ସଚିବ ଜେମ୍‌ସ ମାଟିସ ସିଓଲ ଗସ୍ତରେ ଅଛନ୍ତି। ଦକ୍ଷିଣ କୋରିଆ ଏବେ ଯେଉଁ ପରମାଣୁ ବୋମାସବୁ ପ୍ରସ୍ତୁତ କରି ରଖିଛି ସେଗୁଡ଼ିକର ଆକାର ୧୯୪୫ରେ ହିରୋସିମାରେ ପକାଯାଇଥିବା ବୋମାର ୩ ଗୁଣ ହେବ। ଉତ୍ତର କୋରିଆ ଅଗଷ୍ଟରୁ ସେପ୍‌ଟେମ୍ବର ମଧ୍ୟରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା କରିଛି । ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଲଗାତାର ପରମାଣୁ ଯୁଦ୍ଧ ଧମକ ଦେଇ ଚାଲିବା ସହ ଏଥିପାଇଁ ଆମେରିକାକୁ ଦାୟୀ କରିଛନ୍ତି। ଉତ୍ତର କୋରିଆର ପ୍ରାଧାନ୍ୟକୁ ଗୁରୁତ୍ୱହୀନ କରିବା ଲାଗି ଆମେରିକା ଷଡ଼ଯନ୍ତ୍ର ଚଳାଇ ଆସିଛି ବୋଲି ଉତ୍ତର କୋରିଆ ଅଭିଯୋଗ କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ମଧ୍ୟ ଉତ୍ତର କୋରିଆକୁ ମୂଳପୋଛ କରିବା ପାଇଁ ଜାତିସଂଘ ଉଦ୍‌ବୋଧନରେ କହିଥିଲେ। ଏହାକୁ ନେଇ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ଉତ୍ତର କୋରିଆ କୌଣସି କଟକଣା କିମ୍ବା ବିଶ୍ୱ ନେତାଙ୍କ ଉଦ୍‌ବେଗକୁ ଖାତିର କରୁନାହିଁ।

ଚଳିତ ମାସ ଆରମ୍ଭରେ ଉତ୍ତର କୋରିଆ ନିକଟ ସମୁଦ୍ରରେ ଜାପାନ-ଦକ୍ଷିଣକୋରିଆ-ଆମେରିକା ମିଳିତ ସମରାଭ୍ୟାସ କରିଛନ୍ତି। ଆମେରିକାର ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକ କୋରିଆ ଆକାଶରେ ଉଡ଼ିବା ପରେ ଯୁଦ୍ଧ ଆଶଙ୍କା ବଳବତ୍ତର ହୋଇଛି । ଆମେରିକାର ବିମାନ ଓ କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧ ଜାହାଜଗୁଡ଼ିକ କୋରିଆ ଉପଦ୍ୱୀପରେ ପଇଁତରା ମାରୁଛି । ଉତ୍ତର କୋରିଆ ଏହାକୁ ସିଧାସଳଖ ଯୁଦ୍ଧ ଭାବେ ଗ୍ରହଣ କରିଛି ଏବଂ ସବୁଶକ୍ତି ଖଟାଇ ମୁକାବିଲା କରିବ ବୋଲି କହିଛି।

 

ସମ୍ବନ୍ଧିତ ଖବର