ଚୀନ୍‌ ଓ ରୁଷ୍‌କୁ ଧମକ: ପରମାଣୁ ଆକ୍ରମଣ କ୍ଷମତା ବଢ଼ାଇବ ଆମେରିକା

ଓ୍ଵାସିଂଟନ: ଚୀନ୍‌ ଓ ରୁଷ୍‌କୁ ଆମେରିକା ଏବେ ସିଧାସଳଖ ଧମକାଇଛି। ପରମାଣୁ ଅସ୍ତ୍ରରେ ବଳୀୟାନ ଏହି ଦୁଇ ରାଷ୍ଟ୍ର ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ରଙ୍କୁ ବ୍ଲାକ୍‌ମେଲିଂ କରୁଥିବାରୁ ପରିଣତି ଭୟଙ୍କର ହେବ ବୋଲି ଆମେରିକା ଧମକ ଦେଇଛି। ଚୀନ୍‌-ରୁଷ୍‌ର ମୁକାବିଲା ପାଇଁ ଆମେରିକା ତା’ର ପରମାଣୁ ଅସ୍ତ୍ର ଭଣ୍ଡାରକୁ ଅଧିକ ଘାତକ ଓ କ୍ଷୁଦ୍ର ପରମାଣୁ ଅସ୍ତ୍ରରେ ସମୃଦ୍ଧ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ରହିଥିବା ବିଶାଳ ପରମାଣୁ ବୋମା ବଦଳରେ ଅଧିକ ସଂଖ୍ୟାରେ କ୍ଷୁଦ୍ର ପରମାଣୁ ବୋମା ତିଆରି କରିବାକୁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ତତ୍ତ୍ୱବଧାନରେ ଗଠିତ ରାଷ୍ଟ୍ରୀୟ ସୁରକ୍ଷା କମିଟି ନିଷ୍ପତ୍ତି ଗ୍ରହଣ କରିଛି। ଏ ବାବଦରେ ଟ୍ରମ୍ପ୍‌ କହିଛନ୍ତି ଯେ ଯୁଦ୍ଧ ବିମାନ ଏବଂ ପରମାଣୁ ଅସ୍ତ୍ରଗୁଡ଼ିକୁ ଅତ୍ୟାଧୁନିକ କରିବା ସହ କ୍ଷୁଦ୍ର ପରମାଣୁ ଅସ୍ତ୍ର ନିର୍ମାଣ ଉପରେ ଏବେ ଆମେରିକା ଗୁରୁତ୍ୱ ଦେବ। ରୁଷ୍‌ ଓ ଚୀନ୍‌ ଅଧିକ ସଂଖ୍ୟାରେ ତତ୍କାଳ ବ୍ୟବହାର କରିପାରିବା ଭଳି ଅନେକ କ୍ଷୁଦ୍ର ପରମାଣୁ ଅସ୍ତ୍ର ସେମାନଙ୍କ ଭଣ୍ଡାରରେ ରଖିଥିବାରୁ ଏହାର ମୁକାବିଲାରେ ଆମେରିକା ମଧ୍ୟ ଅଧିକ ଘାତକ ଓ କ୍ଷୁଦ୍ର ପରମାଣୁ ଅସ୍ତ୍ର ତିଆର କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ଏବଂ ତା’ର ସହଯୋଗୀ ରାଷ୍ଟ୍ର ବିରୋଧରେ ରହିଥିବା ପରମାଣୁ ଆକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ପାଇଁ ପେଣ୍ଟାଗନ ଏବେ ତା’ର ରଣନୀତି ବଦଳାଇବ।

ଉତ୍ତର କୋରିଆ ପଟୁ ତୁହାକୁ ତୁହା ପରମାଣୁ ଆକ୍ରମଣ ଧମକ ଏବଂ ଚୀନ୍‌ ଓ ରୁଷ୍‌ ଭଳି ମହା ଶକ୍ତିଶାଳୀ ଅଣୁ ଅସ୍ତ୍ର ସଂପନ୍ନ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଏହାକୁ ପରୋକ୍ଷ ସମର୍ଥନ ଆମେରିକାର ଚିନ୍ତା ବଢ଼ାଇ ଦେଇଛି। ଦକ୍ଷିଣ କୋରିଆ ଏବଂ ଜାପାନ ଉତ୍ତର କୋରିଆର ଆକ୍ରମଣ ଧମକରେ ଥରହର ହେଉଥିବା ବେଳେ ଏହି ସ୍ଥିତିର ଅବସାନ ଘଟାଇବା ପାଇଁ ଆମେରିକା ତା’ର ପରମାଣୁ ନୀତିରେ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛି। ଆମେରିକାର ଏହି ନିଷ୍ପତ୍ତି ସିଧାସଳଖ ରୁଷ୍‌ ଓ ଚୀନ୍‌କୁ ବଡ଼ ଧମକ ହୋଇଥିବାରୁ ଆଗାମୀ ଦିନରେ କ୍ଷୁଦ୍ର ଅଣୁ ଅସ୍ତ୍ର ପ୍ରସାର ବ୍ୟପକ ହେବ ଏବଂ ପରମାଣୁ ଆକ୍ରମଣ ସମ୍ଭାବନା ବଢ଼ିବ ବୋଲି ପରମାଣୁ ବ୍ୟାପାର ବିଶେଷଜ୍ଞମାନେ କହିଛନ୍ତି। ଗୋଟିଏ ପଟେ ପରମାଣୁ ନିରସ୍ତ୍ରୀକରଣ ଓ ପରମାଣୁ ପରୀକ୍ଷଣ ଉପରେ ପ୍ରତିବନ୍ଧକ ନେଇ ଲଗାତାର ପ୍ରୟାସ ଚାଲିିଥିବା ବେଳେ ଅନ୍ୟପଟେ ପରମାଣୁ ଆତଙ୍କବାଦ ଏବେ ବିଶ୍ୱ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। ପରମାଣୁ ଆତଙ୍କବାଦକୁ ରୋକିବା ପାଇଁ ଆମେରିକା ତା’ର ପରମାଣୁ ଅସ୍ତ୍ର ନିର୍ମାଣ ନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ରୁଷ୍‌ ଓ ଚୀନ୍‌ର ସଫଳ ମୁକାବିଲା ପାଇଁ ପ୍ରୟାସ କରିବ ବୋଲି ପେଣ୍ଟାଗନର ରଣନୀତି ବିଭାଗ ଉପ ନିର୍ଦ୍ଦେଶକ ଗ୍ରେଗ୍‌ ଓ୍ଵିଭର୍‌ କହିଛନ୍ତି। ରୁଷ୍‌କୁ ପରମାଣୁ ଅସ୍ତ୍ର ପ୍ରୟୋଗରୁ ରୋକିବା ପାଇଁ ଆମେରିକା କ୍ଷୁଦ୍ର ପରମାଣୁ ଅସ୍ତ୍ର ନିର୍ମାଣକୁ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି। ଏହି କ୍ଷୁଦ୍ର ଅସ୍ତ୍ର ଅତ୍ୟନ୍ତ ବିଧ୍ୱଂସକାରୀ ଏବଂ ହିରୋସିମା ଓ ନାଗାସାକିରେ ପକା ଯାଇଥିବା ବୋମାଠାରୁ ୨୦ କିଲୋଟନ କମ୍‌ ଶକ୍ତି ସଂପନ୍ନ ହେବ ବୋଲି ସୂଚନା ମିଳିଛି। ରୁଷ୍‌ ଏବେ ତା’ର ପରମାଣୁ ଅସ୍ତ୍ର ଭଣ୍ଡାରରେ ପ୍ରାୟ ୨୦୦୦ ଅଣୁ ଅସ୍ତ୍ର ମହଜୁଦ ରଖିଛି। ଉତ୍ତର କୋରିଆ ଏବଂ ଇରାନର ପରମାଣୁ ଅସ୍ତ୍ର ନେଇ ମଧ୍ୟ ଆମେରିକା ଉଦ୍‌ବେଗ ପ୍ରକାଶ କରିଛି। ପାକିସ୍ତାନର ପରମାଣୁ ଅସ୍ତ୍ରର ସୁରକ୍ଷା ନେଇ ମଧ୍ୟ ଆମେରିକା ପ୍ରଶ୍ନ ଉଠାଇଛି। ପାକ୍‌ ପରମାଣୁ ଅସ୍ତ୍ର ଆତଙ୍କବାଦୀଙ୍କ ହାତକୁ ଗଲେ ଭୟଙ୍କର ସ୍ଥିତି ଉପୁଯିବ ବୋଲି ଆମେରିକା ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର