ୱାସିଂଟନ୍ : ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଷଡ଼୍ଯନ୍ତ୍ର ରଚୁଛି। ଜଳପଥ ଦେଇ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ ଯୋଜନା କରୁଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏବଂ ପାକ୍ ସେନା ଏଥିପାଇଁ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସହଯୋଗ କରୁଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।
ତେବେ ଆମେରିକା ମଧ୍ୟ ଆଜି ଏହି ସମାନ ସୂଚନା ପ୍ରଦାନ କରିଛି। ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା କହିଛି। ଭାରତ-ପ୍ରଶାନ୍ତ ସୁରକ୍ଷା ବ୍ୟାପାର ସହଯୋଗୀ ପ୍ରତିରକ୍ଷା ସଚିବ ରନ୍ଦଲ୍ଲ ଶ୍ରୀଭର କହିଛନ୍ତି, ଅନେକ ରାଷ୍ଟ୍ର ଏବେ ଚିନ୍ତା ପ୍ରକଟ କରୁଛନ୍ତି ଯେ ଯଦି ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀଙ୍କ ଉପରେ ନିୟନ୍ତ୍ରଣ ନରଖେ ତେବେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଯେକୌଣସି ସମୟରେ ଭାରତରେ ଆକ୍ରମଣ କରିପାରନ୍ତି। ତେବେ କଶ୍ମୀର ପ୍ରସଙ୍ଗରେ ଚୀନ୍ ଭାରତକୁ ସମର୍ଥନ କରୁଛି କି ନା’ ସେନେଇ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀଭର କହିଛନ୍ତି, ଚୀନ୍ ପ୍ରାୟତଃ ପାକିସ୍ତାନକୁ ରଣନୀତିକ ଏବଂ ରାଜନୈତିକ ସମର୍ଥନ ଦେଇଥାଏ।