ହାଫିଜ୍‌କୁ ଗିରଫ ନକଲେ ପରିଣାମ ଭୋଗିବ

ପାକିସ୍ତାନକୁ ଆମେରିକାର ଚେତାବନୀ

ଓ୍ଵାସିଂଟନ: ପାକିସ୍ତାନରେ ନିକଟରେ ନଜରବନ୍ଦୀରୁ ମୁକ୍ତ ହୋଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତଥା ଆତଙ୍କବାଦୀ ସଂଗଠନ ଜମାତ୍‌-ଉଲ୍‌-ଦାଓ୍ଵା ମୁଖ୍ୟ ହାଫିଜ୍‌ ସୟିଦ୍‌କୁ ପୁଣି କରିବାକୁ ଆମେରିକା ଆଉ ଥରେ ପାକିସ୍ତାନକୁ ପରାମର୍ଶ ଦେଇଛି। ଏପରିକି ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍‌କୁ ଗିରଫ ସହ ଦଣ୍ଡ ବିଧାନ ନକଲେ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଛି। ଅନ୍ୟଥା ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ତିକ୍ତ ହେବ ବୋଲି ଟ୍ରମ୍ପ୍‌ ପ୍ରଶାସନ ଚେତେଇ ଦେଇଛି।

ଉଲ୍ଲେଖ ଥାଉ କି, ମୁଣ୍ଡରେ ଏକ କୋଟି ଆମେରିକୀୟ ଡଲାରର ପୁରସ୍କାର ବହନ କରୁଥିବା ହାଫିଜ୍‌କୁ ଗତ ଶୁକ୍ରବାର ପାକିସ୍ତାନ ସରକାର ନଜରବନ୍ଦୀରୁ ମୁକ୍ତ କରିଦେଇଛନ୍ତି। ତେବେ ସଂଯୁକ୍ତ ଜାତିସଂଘ ଏବଂ ଆମେରିକା ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷିତ ହାଫିଜ୍‌ ପ୍ରତି ପାକିସ୍ତାନର ଏଭଳି ଦରଦୀ ଆଭିମୁଖ୍ୟରେ ଟ୍ରମ୍ପ୍‌ ପ୍ରଶାସନ ଭୀଷଣ କ୍ଷୋଭ ପ୍ରକାଶ କରିଛି। ଆମେରିକାର ରାଷ୍ଟ୍ରପତି ଭବନ(ହ୍ଵାଇଟ୍‌ ହାଉସ୍‌)ର ପ୍ରେସ ସଚିବ ସାରା ସାଣ୍ଡର୍ସ କଡ଼ା ଭାଷାରେ ପାକିସ୍ତାନର ପଦକ୍ଷେପକୁ ସମାଲୋଚନା କରି କହଛନ୍ତି ଯେ ଏହାଦ୍ୱାରା ଆନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନର ଛଦ୍ମ ପ୍ରତିଶ୍ରୁତିବଦ୍ଧତା ପଦାରେ ପଡ଼ିଯାଇଛି। ଏଥି ସହିତ ପାକିସ୍ତାନ ଦାବି କରିଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନ ମିଛ ବୋଲି ପୁଣି ପ୍ରମାଣିତ ହୋଇଛି। ତେଣୁ ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ପାକିସ୍ତାନ ତୁରନ୍ତ ହାଫିଜ୍‌କୁ ସାନି ଗିରଫ ସହ ଦଣ୍ଡ ଦେବାକୁ ସାଣ୍ଡର୍ସ ଦାବି କରିଛନ୍ତି। ଏହା ନକଲେ ଆମେରିକା ସହ ସମ୍ପର୍କରେ ତ ଭଟ୍ଟା ପଡ଼ିବ, ସାରା ବିଶ୍ୱରେ ମଧ୍ୟ ପାକିସ୍ତାନର ଭାବମୂର୍ତ୍ତି ଅତି ନୀଚସ୍ତରକୁ ଖସିଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର