ପାକିସ୍ତାନକୁ ଆମେରିକାର ତାଗିଦ: ଆତଙ୍କବାଦ ବନ୍ଦ ହେଲେ ହିଁ କଥାବାର୍ତ୍ତା ସମ୍ଭବ

ହାଫିଜ୍‌-ମସୁଦ୍‌ ବିରୋଧରେ ପାକିସ୍ତାନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଥିବା ପାକିସ୍ତାନକୁ ଆଜି ଆମେରିକା ସତର୍କ କରାଇ ଦେଇଛି। ପାକିସ୍ତାନ ଯେ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି, ସେପର୍ଯ୍ୟନ୍ତ ଭାରତ ସହ କଥାବାର୍ତ୍ତା ସମ୍ଭବ ହୋଇପାରିବ ନାହିଁ ବୋଲି ଆମେରିକା ଚେତାଇ ଦେଇଛି। ଗୋଟିଏ ପଟେ ପାକିସ୍ତାନ ଏହାର ମାଟିରେ ଅବାଧ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅନୁମତି ଦେଉଥିବା ବେଳେ ଅନ୍ୟପଟେ ଏହା ଶାନ୍ତି କଥାବାର୍ତ୍ତା କଥା କହିବା ବିଭ୍ରାନ୍ତିକରଣ ବୋଲି ଆମେରିକା ବିଦେଶ ବିଭାଗର ଏସିଆ ପ୍ରଭାରୀ ଜାତିସଂଘରେ ଏକ ରିପୋର୍ଟ ଉପସ୍ଥାପନ କରି କହିଛନ୍ତି। ଆତଙ୍କବାଦୀ ହାଫିଜ ସୟିଦ ଏବଂ ମସୁଦ୍‌ ଆଝାର ବିରୋଧରେ ପାକିସ୍ତାନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ, ଅନ୍ୟଥା ଭାରତ ସହ ଆଲୋଚନା ପାଇଁ ପରିବେଶ ସୃଷ୍ଟି ହୋଇପାରିବ ନାହିଁ ବୋଲି ଆମେରିକା ଚେତାଇ ଦେଇଛି।

ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁ‌‌ଷ୍ଠାନ ଗ୍ରହଣ କଲେ ଏବଂ ସୀମାପାର ଅନୁପ୍ରବେଶକୁ ରୋକିବା ଦିଗରେ ପଦକ୍ଷେପ ନେଲେ ହିଁ ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା କିଛି ମାତ୍ରାରେ କମିବ ବୋଲି ଆମେରିକା କହିଛି। ଜାତିସଂଘ ସାଧାରଣ ପରିଷଦର ୭୪ ତମ ଅଧିବେଶନରେ ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଶ୍ମୀରକୁ ଏକ ଦ୍ବିପାକ୍ଷିକ ମାମଲା ବୋଲି ସ୍ପଷ୍ଟ କରିଛନ୍ତି, ତେଣୁ ଭାରତ ନ ଚାହିବା ପର୍ଯ୍ୟନ୍ତ ମଧ୍ୟସ୍ଥତା ହୋଇପାରିବ ନାହିଁ ବୋଲି ମଧ୍ୟ ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଅବସରରେ ପୃଥକ୍‌ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭେଟି କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର କେବଳ କଥାବାର୍ତ୍ତା ମାଧ୍ୟମରେ ହିଁ ସମସ୍ୟାର ସମାଧାନ କରିପାରିବେ ବୋଲି ସେ କହିଥିଲେ। ‌କିନ୍ତୁ ପାକିସ୍ତାନ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ଏ ଦିଗରେ କିଛି ବି ଅଗ୍ରଗତି ହେବନାହିଁ ବୋଲି ଆମେରିକା କହିଛି।

ସମ୍ବନ୍ଧିତ ଖବର