ଇସଲାମାବାଦ୍‌: ଆମେରିକା ଆଜି ସିପିଇସି (ଚୀନ୍‌ ପାକିସ୍ତାନ ଆର୍ଥିକ କରିଡର) ସଂକ୍ରାନ୍ତରେ ପାକିସ୍ତାନକୁ ଚେତାଇ ଦେଇଛି। ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ପାକିସ୍ତାନୀମାନଙ୍କୁ ସିପିଇସି ପ୍ରସଙ୍ଗରେ ଚୀନ୍‌କୁ ଜଟିଳ ପ୍ରଶ୍ନ କରିବାକୁ ଅନୁରୋଧ କରାଯାଇଛି। ସିପିଇସି ପ୍ରକଳ୍ପ ଦ୍ବାରା ଚୀନ୍‌ ପାକିସ୍ତାନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯୋଜନା କରିଛି। କିନ୍ତୁ ଆମେରିକା ଏବେ ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ ଚୀନ୍‌ର ସିପିଇସି ପ୍ରକଳ୍ପ ଦ୍ବାରା କେବଳ ଚୀନ୍‌କୁ ହିଁ ଲାଭ ମିଳିବ। ଅନ୍ୟପକ୍ଷେ ପାକିସ୍ତାନର ଅର୍ଥନୀତି‌ରେ ଏହା ଦୀର୍ଘ କାଳ ଧରି ବ୍ୟାପକ କ୍ଷତି ପହଞ୍ଚାଇବ । ଦକ୍ଷିଣ ଏସିଆ ପାଇଁ ଆମେରିକାର ଜଣେ ଶୀର୍ଷ କୂଟନୀତିଜ୍ଞ କହିଛନ୍ତି, ସିପିଇସିକୁ ଉଭୟ ପାକିସ୍ତାନ ଏବଂ ଚୀନ୍‌ ଦ୍ବାରା ଏକ ଗେମ୍‌ ଚେଞ୍ଜର କୁହାଯାଉଛି କିନ୍ତୁ ବାସ୍ତବରେ ଏହା କେବଳ ବେଜିଂକୁ ସୁହାଇବ। ଦକ୍ଷିଣ ଏସିଆ ପାଇଁ ଆମେରିକାର କାର୍ଯ୍ୟକାରୀ ସହଯୋଗୀ ସଚିବ ଆଲିସ୍‌ ୱେଲ୍‌ସ କହିଛନ୍ତି, ସିପିଇସି ପାକିସ୍ତାନ ପାଇଁ ଏକ ସହାୟତା‌ ନୁହେଁ। ଚୀନ୍‌ ପାକିସ୍ତାନରେ ଏହି ପ୍ରକଳ୍ପ ଦ୍ବାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ଏଥି‌ରେ କେବଳ ଚୀନ୍‌ କମ୍ପାନି, ଚୀନ୍‌ର ଶ୍ରମିକ୍‌ ଏବଂ ଚୀନ୍‌ ସାମଗ୍ରୀ ବ୍ୟବହାର ହେଉଛି। ପାକିସ୍ତାନରେ ଗୋଟିଏ ପଟେ ‌ବେକାରି ବୃଦ୍ଧି ପାଇଥିବା ବେଳେ ଅନ୍ୟପକ୍ଷେ ଚୀନ୍‌ ପାକିସ୍ତାନରେ ବିକାଶ ମୂଳକ କାର୍ଯ୍ୟ କରି ଏଥିରେ ଚୀନ୍‌ର ଶ୍ରମିକଙ୍କୁ ନିୟୋଜିତ କରିବା କେତେଦୁର ଯୁକ୍ତିଯୁକ୍ତ ବୋଲି ୱେଲ୍‌ସ କହିଛନ୍ତି। ଚୀନ୍‌ ପ୍ରକୃତରେ ପାକିସ୍ତାନକୁ ଋଣଜାଲରେ ଛନ୍ଦି ଦେଉଛି। ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ଥିବାବେଳେ ଆଉ କିଛି ବର୍ଷ ପରେ ଏହା ଅତ୍ୟନ୍ତ ସଙ୍କଟ ଦେଇ ଗତି କରିବ। ଉଲ୍ଲେଖଯୋଗ୍ୟ ୨୦୧୫ରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ପାକିସ୍ତାନ ଗସ୍ତରେ ଆସିଥିବାବେଳେ ସିପିଇସି ଆରମ୍ଭ କରିଥିଲେ।

Advertisment