ଆମେରିକାର ଚେତାବନୀ: ଆତଙ୍କବାଦୀ କବ୍‌ଜା କରିବେ ପାକିସ୍ତାନ!

ଓ୍ଵାସିଂଟନ: ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇଥିବା ପାକିସ୍ତାନକୁ ଆମେରିକାର ପରରାଷ୍ଟ୍ର ସଚିବ ରେକ୍ସ ଟିଲରସନ୍‌ ଆଜି କଡ଼ା ଚେତାବନୀ ଦେଇଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଆତଙ୍କବାଦୀମାନେ କାବୁଲ୍‌ ଉପରୁ ନଜର ହଟାଇ ଇସଲାମାବାଦକୁ ନିଶାଣ କରିବେ ବୋଲି ଟିଲରସନ୍‌ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଦେଇଥିବା କହିଛନ୍ତି।

ନିଜ ମାଟିରେ ବଢ଼ିଥିବା ଆତଙ୍କବାଦୀଙ୍କୁ ସାବାଡ଼ କରିବା ପାଇଁ ପାକିସ୍ତାନର ଆନ୍ତରିକତା ନଥିବାରୁ ଟିଲରସନ୍‌ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି। ହକାନି ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁତ୍ୱାରୋପ କରୁଥିବା କଥା ଟିଲରସନ୍‌ ବାରମ୍ବାର ପାକିସ୍ତାନକୁ ଜଣାଇ ଦେଇଛନ୍ତି। ମାତ୍ର ପାକିସ୍ତାନ ନିଜ ସୀମାରେ ଅନେକ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ତଥା ପ୍ରଶ୍ରୟ ଦେଇଥିବାରୁ ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି। କାରଣ ସେମାନଙ୍କ ସଂଖ୍ୟା ଏବଂ ପ୍ରଭାବରେ ଦେଖାଦେଇଥିବା କ୍ରମାଗତ ବୃଦ୍ଧି ହିଁ ନିକଟ ଭବିଷ୍ଟତରେ ଅଣାୟତ୍ତ ସ୍ଥିତି ଉପୁଜାଇବ। ଏପରିକି ସେମାନଙ୍କ ଟାର୍ଗେଟ୍‌ରେ ପ୍ରଥମେ ରାଜଧାନୀ ଇସଲାମାବାଦ ରହିବ ବୋଲି ଟିଲରସନ୍‌ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର