ପାକିସ୍ତାନକୁ ସାବାଡ କରିବ ଆମେରିକା, ପୁଣି ଫେରିବ ଡ୍ରୋନ୍ ହମଲା

ଆମ ପାଖରେ ସବୁ ବିକଳ୍ପ ଖୋଲା ଅଛି: ଟ୍ରମ୍ପ ପ୍ରଶାସନ

ନୂଆଦିଲ୍ଲୀ: ପାକିସ୍ତାନ ଯଦି ଆତଙ୍କବାଦୀ ସଂଗଠନ ବିଶେଷକରି ତାଲିବାନ ଓ ହକ୍କାନି ନେଟଓ୍ଵାର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଏ, ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଏଥିଲାଗି ସବୁ ବିକଳ୍ପ ଖୋଲା ଅଛି ବୋଲି ଆମେରିକା କହିଛି । ଏହା ଫଳରେ ପାକିସ୍ତାନ ଉପରେ ଆମେରିକାର ଡ୍ରୋନ ହମଲା ପୁଣି ବଢିବାର ଆଶଙ୍କା ଦେଖାଦେଇଛି ବୋଲି ଆଲୋଚନା ହେଉଛି ।

ଏ ସଂପର୍କରେ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବଳ ସାମରିକ ସହାୟତା ବନ୍ଦ କରିଦେଇ ଆମେରିକା ଚୁପ ବସିବ ନାହିଁ । ଏହାଛଡାଆହୁରି ଅନେକ ବିକଳ୍ପ ରହିଛି ।

ପାକିସ୍ତାନକୁ ଆମେରିକା ଦେଇଥିବା ପ୍ରମୁଖ ଅଣ-ନାଟୋ ସଦସ୍ୟ ଦେଶ ମାନ୍ୟତା ପ୍ରତ୍ୟାହାର କରିବା ଲାଗି ଟ୍ରମ୍ପ ପ୍ରଶାସନ ପଦକ୍ଷେପ ନେଉ ବୋଲି ଆମେରିକା କଂଗ୍ରେସର ଅନେକ ସଦସ୍ୟ ଦାବି କରିଛନ୍ତି । ଏହାଛଡ଼ା ପାକିସ୍ତାନରେ ଥିବା ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପଗୁଡ଼ିକ ଉପରେ ଡ୍ରୋନ ଆକ୍ରମଣ କରିବାକୁ ମଧ୍ୟ ଟ୍ରମ୍ପ ପ୍ରଶାସନ ଚିନ୍ତା କରୁଛି ।

ଆମେରିକା ରାଷ୍ଟ୍ରପତି ନିଜର ନୂଆ ବର୍ଷ ଟ୍ଵିଟ୍‌ରେ ପାକିସ୍ତାନକୁ ଟାର୍ଗେଟ୍‌ କରିବା ପରେ ଆମେରିକା ପ୍ରାୟ ୨ ବିଲିୟନ ଡଲାରର ସହାୟତା ଅଟକାଇଦେଇଛି ।

 ପାକିସ୍ତାନ ଗଠନ ପରଠାରୁ ହିଁ ଆମେରିକା ତାହାର ଏକ ବଡ଼ ସହଯୋଗୀ ରାଷ୍ଟ୍ର ହୋଇ ରହିଆସିଛି । ବିଶେଷକରି ଶୀତଳଯୁଦ୍ଧ ସମୟରେ ସୋଭିଏତ ଋଷ ଭାରତକୁ ସହାୟତା କରୁଥିବାରୁ ଆମେରିକା ଓ ପାକିସ୍ତାନ ସଂପର୍କ ବେଶ ନିବିଡ଼ ହୋଇଥିଲା । ପରେ ୯/୧୧ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାର ଆତଙ୍କବାଦ ବିରୋଧୀ ଅଭିଯାନରେ ପାକିସ୍ତାନ ପ୍ରମୁଖ ସହଯୋଗୀ ହୋଇଥିଲା ଓ କୋଟି ଡଲାର ସହାୟତା ପାଇଚାଲିଥିଲା । କିନ୍ତୁ ଯେଉଁ ଓସାମା-ବିନ-ଲାଡେନ ବିରୁଦ୍ଧରେ ଲଢେଇ ପାଇଁ ଆମେରିକା ପାକିସ୍ତାନକୁ ସାଥୀ କରିଥିଲା, ତାକୁ ପାକିସ୍ତାନରେ ଠାବ କରାଯାଇ ହତ୍ୟା କରାଯିବା ପରେ ଆମେରିକାର ଚେତା ପଶିଥିଲା । ତଥାପି ଆଫଗାନିସ୍ତାନରେ ଥିବା ଆମେରିକା ସୈନ୍ୟମାନଙ୍କ ନିକଟକୁ ପାକିସ୍ତାନ ମଧ୍ୟ ଦେଇ ବିଭିନ୍ନ ସାମଗ୍ରୀ ଯୋଗାଣ ହେଉଥିବାରୁ ଆମେରିକା ହଠାତ କିଛି ପଦକ୍ଷେପ ନେଇ ନଥିଲା । କିନ୍ତୁ ଏବେ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟ ସଂଖ୍ୟା ହ୍ରାସ ପାଇଥିବାରୁ ଆମେରିକା ପାଇଁ ପାକିସ୍ତାନର ଗୁରୁତ୍ୱ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର