ପାକିସ୍ତାନକୁ ଚେତାଇଲା ଆମେରିକା, ଆତଙ୍କବାଦୀଙ୍କୁ ନିପାତ କର

ମୋଦୀଙ୍କୁ ଚିଠି ଲେଖିଲେ ଇମ୍ରାନ୍‌, ସବୁ ବିବାଦର ସମାଧାନ ପାଇଁ ଆଗ୍ରହୀ

ୱାସିଂଟନ୍‌: ଦକ୍ଷିଣ ଏସିଆରେ ଶାନ୍ତି କାଏମ ରଖିବା ଦାୟିତ୍ବ ପାକିସ୍ତାନ ଉପରେ ନିର୍ଭର କରୁଛି। ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ପ୍ରଥମେ କଡ଼ା କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ଆମେରିକା କହିଛି। ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପାକିସ୍ତାନ ତୟାର ରହିବା ଆବଶ୍ୟକ ଏବଂ ଏହାର ପଦକ୍ଷେପ ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ଆଜି ଆମେରିକା ଚେତାଇ ଦେଇଛି। ଅନ୍ୟପକ୍ଷରେ ଏସ୍‌ସିଓ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ଦ୍ବିପାକ୍ଷିକ ଆଲୋଚନା କରିବେ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେବା ପରେ ପାକିସ୍ତାନର ଚିନ୍ତା ବଢ଼ିଯାଇଛି। ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଭାରତ ସହ ଶାନ୍ତି ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ଆଗ୍ରହୀ ବୋଲି କହିଛନ୍ତି। ଭାରତରେ ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ସହ ପାକିସ୍ତାନ କଶ୍ମୀର ପ୍ରସଙ୍ଗ‌ ସମେତ ଅନ୍ୟ ସମସ୍ତ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି ବୋଲି ଇମ୍ରାନ କହିଛନ୍ତି। ମୋଦୀଙ୍କ ବିଜୟ ପାଇଁ ଇମ୍ରାନ୍‌ ତାଙ୍କୁ ଚିଠି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଆଗ୍ରହୀ ବୋଲି କହିଛନ୍ତି। ଦୁଇ ଦେଶର ଆଞ୍ଚଳିକ ବିକାଶ ପାଇଁ ଉଭୟ ଭାରତ ଏବଂ ପାକିସ୍ତାନ ଏକାଠି କାମ କରିବା ଉଚିତ୍‌ ବୋଲି ଇମ୍ରାନ୍‌ କହିଛନ୍ତି। କଥାବାର୍ତ୍ତା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି। ତେବେ ନୂଆ ସରକାର ଗଠନ ହେବାପରେ ଇମ୍ରାନ୍‌ ଦ୍ବିତୀୟ ଥର ପାଇଁ ଭାରତ ସହ ଶାନ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ଇଚ୍ଛା‌ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଆଗକୁ କିର୍ଗିଜସ୍ତାନ ରାଜଧାନୀ ବିସ୍‌କେକ୍‌ରେ ଏସ୍‌ସିଓ ସମ୍ମିଳନୀ ଥିବାବେଳେ ଏହା ପୂର୍ବରୁ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସ୍ପ‌ଷ୍ଟ କରାଯାଇଛି ଯେ ମୋଦୀ ଏବଂ ଇମ୍ରାନ୍‌ ଖାନ୍‌ଙ୍କ ସହ କୌଣସି ଦ୍ବିପାକ୍ଷିକ ବୈଠକ ହେବ ନାହିଁ। ଆତଙ୍କବାଦ ନେଇ ପାକିସ୍ତାନର ଦୋମୁହାଁ ନୀତିକୁ ଭାରତ ଜୋର୍‌ଦାର ବିରୋଧ କରି ଆସିଛି ଏବଂ ପାକିସ୍ତାନ ଏ ଦିଗରେ ଆଦୌ ବିଶ୍ବାସଯୋଗ୍ୟ କାମ କରୁନଥିବାରୁ ଭାରତ ଏବେ ତା’ର ଆଭିମୁଖ୍ୟ ଅଧିକ ‌କଠୋର କରିଛି। ପୂର୍ବରୁ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି ମଧ୍ୟ ତାଙ୍କ ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କ ନିକଟକୁ ଏକ ଚିଠି ଲେଖି କହିଥିଲେ ପାକିସ୍ତାନ ଭାରତ ସହ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାହୁଛି। ତେବେ ଆତଙ୍କବାଦ ଏବଂ ଆଲୋଚନା ଏକ ସମୟରେ ‌ହୋଇପାରିବ ନାହିଁ ବୋଲି ଭାରତ ଶୁଣାଇ ଦେଇଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ପାକ୍‌ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଦୃଢ଼ ସମର୍ଥନ ରହିଥିବାରୁ ଏହା ଦୁଇ ଦେଶର ଦ୍ବିପାକ୍ଷିକ ସଂପର୍କକୁ ତିକ୍ତ କରିଦେଇଛି।

ସମ୍ବନ୍ଧିତ ଖବର