ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରି ବିଶ୍ବ ଆଗରେ ନୁଆଁଇବାକୁ ଚେଷ୍ଟା କରିଥିଲା ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ ଭାରତ, ଆମେରିକା ଆଗରେ ପାଟି ଚୁପ୍ କରି ଛିଡ଼ା ହେବ ବୋଲି ଭାବିଥିଲା ଆମେରିକା। ହେଲେ ଘଟିଲା ଠିକ୍ ଓଲଟା। ମୁଣ୍ଡ ନୁଆଁଇବା ପରିବର୍ତ୍ତେ ଭାରତ, ରୁଷ୍ ଓ ଚୀନ୍ ଭଳି ଦେଶ ସହିତ ନିଜ ସମ୍ପର୍କ ସୁଦୃଢ଼ କରିବା ଆରମ୍ଭ କଲା। ଏହା ଦେଖି ନରମ ପଢ଼ିଛନ୍ତି ଟ୍ରମ୍ପ। ବ୍ୟବସାୟିକ ସମସ୍ୟାର ସମାଧାନ ପାଇଁ ଆଲୋଚନା ପୁଣି ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି ସେ।
ଏମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକୀୟ କମ୍ପାନି ଜିଇ, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ୍)କୁ ତୃତୀୟ ବିମାନ ଇଞ୍ଜିନ (ଏଫ୍-୪୦୪) ପ୍ରଦାନ କରିଛି। ଏହି ମାସ ଶେଷ ସୁଦ୍ଧା ଚତୁର୍ଥ ଇଞ୍ଜିନ ଭାରତ ଆସିପାରେ ବୋଲି ଜଣାପଡ଼ିଛି। ଗତ ମାସରେ ଆମେରିକାରୁ ଗୋଟିଏ ବି ଇଞ୍ଜିନ ଭାରତ ଆସିନଥିଲା। କାରଣ ଅଗଷ୍ଟ ମାସରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ଚୁକ୍ତି ଅନୁଯାୟୀ, ମୋଟ ୯୯ଟି ଇଞ୍ଜିନ ମଧ୍ୟରୁ ହଲ୍ ଚଳିତ ବର୍ଷ ସୁଦ୍ଧା ଜିଇଠାରୁ ୧୨ଟି ଇଞ୍ଜିନ ପାଇବ। ଏହି ଇଞ୍ଜିନଗୁଡ଼ିକୁ ଏଲସିଏ ତେଜସ ଲଢ଼ୁଆ ବିମାନର ଉନ୍ନତ ସଂସ୍କରଣ, ଏଲସିଏ-ମାର୍କ ୧ଏ ପାଇଁ ବ୍ୟବହାର କରାଯିବ। ପ୍ରାୟ ଦୁଇ ବର୍ଷ ବିଳମ୍ବରେ ଆମେରିକାରୁ ତୃତୀୟ ଇଞ୍ଜିନ ଆସିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ୍ ଗସ୍ତ ପରେ, ବୁଧବାର ଟ୍ରମ୍ପ ଲଗାତାର ତୃତୀୟ ଥର ପାଇଁ ଭାରତକୁ ପ୍ରଶଂସା କରିଥିଲେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଲେଖିଥିଲେ ଯେ, ମୁଁ ଖୁସି ଯେ ଭାରତ ଏବଂ ଆମେରିକା ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ମୁଁ ଆଗାମୀ ସପ୍ତାହଗୁଡ଼ିକରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା କରିବାକୁ ଅପେକ୍ଷା କରିଛି।
ତେବେ ଅପରେସନ୍ ସିନ୍ଦୂରରେ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ପାଇଁ ମନା କରିବାରୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଟ୍ରମ୍ପ୍ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହି ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। କିନ୍ତୁ ଏବେ ଟ୍ରମ୍ପଙ୍କୁ ଭାରତର ନୀତି ଆଗରେ ମୁଣ୍ଡ ନୁଆଁଇବାକୁ ପଡିଛି ଏବଂ ସେ ମୋଦୀଙ୍କୁ ଭେଟିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।