ତେହରାନ: ଆମେରିକା ଇରାନର ୩ଟି ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବା ପରେ ଇରାନ ଏହାରା ଜବାବ ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଇରାନ ସମର୍ଥିତ ସଶସ୍ତ୍ର ଉଗ୍ରବାଦୀମାନେ ଇରାକ ଓ ସମ୍ଭବତଃ ସିରିଆରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ହ୍ୱାଇଟ୍ ହାଉସ୍ କିମ୍ବା ଇରାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ଗୋଷ୍ଠୀଗୁଡ଼ିକ ଚୁପ୍ ଅଛନ୍ତି ଏବଂ ସେମାନଙ୍କୁ ରୋକିବା ପାଇଁ ଇରାକ ଅଧିକାରୀମାନେ କଠିନ ପରିଶ୍ରମ କରୁଛନ୍ତି।
ଏହି ରିପୋର୍ଟରେ ଇରାନ ସମର୍ଥିତ କେଉଁ ଗୋଷ୍ଠୀ ସମ୍ପୃକ୍ତ ଥାଇପାରନ୍ତି ତାହା ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ଉଗ୍ରବାଦୀମାନେ ପୂର୍ବରୁ ଇରାକରେ ଥିବା ଆମେରିକୀୟ ସେନାକୁ ରକେଟ୍ ଓ ଡ୍ରୋନ୍ ବ୍ୟବହାର କରି ଟାର୍ଗେଟ କରିଥିଲେ। ବିଶେଷ କରି ୨୦୨୦ରେ ଆମେରିକା ଇରାନର ସାମରିକ କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କରିବା ପରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନ ସମର୍ଥିତ ଉଗ୍ରବାଦୀମାନେ ଇରାକରେ ଥିବା ଆମେରିକୀୟ ସେନାର ରଣନୈତିକ ଘାଟି ଉପରେ ଆକ୍ରମଣ କରିପାରନ୍ତି। ପଶ୍ଚିମ ଇରାକର ଅନ୍ବାର ପ୍ରଦେଶରେ ଥିବା ଆଇନ୍ ଅଲ୍ ଅସଦ ଏୟାର୍‌ବେସ୍ ସବୁଠାରୁ ବଡ଼। ଏହି ବେସ୍ ଇରାକୀ ସେନାକୁ ସମର୍ଥନ ପ୍ରଦାନ କରୁଥିବା ବେଳେ ନାଟୋର ଚାଲିଥିବା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ଏହା ଉଗ୍ରବାଦୀଙ୍କ ଟାର୍ଗେଟ୍‌ରେ ରହିଛି। ଅନ୍ୟ ଏକ ପ୍ରମୁଖ ସୁବିଧା ହେଉଛି ଇରାକର ଅର୍ଦ୍ଧ ସ୍ୱୟଂଶାସିତ କୁର୍ଦିସ୍ତାନ ଅଞ୍ଚଳରେ ଅବସ୍ଥିତ ଏର୍ବିଲ ଏୟାରବେସ୍। ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ୍ କରି କିମ୍ବା ବିଶ୍ୱର ତୈଳ ଯୋଗାଣ ବନ୍ଦ କରି ଆମେରିକା ବିରୋଧରେ ପ୍ରତିଶୋଧ ନେବାକୁ ତେହରାନ ଧମକ ଦେଇଥିଲା, ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହିଁ। ସମ୍ଭବତଃ ଏହା ସଫଳ ନ ହୋଇପାରେ। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକି କହିଛନ୍ତି ଯେ, ଇରାନ ସମସ୍ତ ସମ୍ଭାବ୍ୟ ପ୍ରତିକ୍ରିୟା ଉପରେ ବିଚାର କରୁଛି ଏବଂ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ କୂଟନୈତିକ ଆଲୋଚନାକୁ ଫେରିବ ନାହିଁ।