ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ୧୯ରେ କାନାଡୀୟ ଶିଖ୍ ଆତଙ୍କବାଦୀ ହରଦୀପ ସିଂହ ନିଜାରକୁ ହତ୍ୟା କରାଯିବା ପରେ ଆମେରିକାର ଗୁଇନ୍ଦା ସଂସ୍ଥା ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍‌ବିଆଇ)ର ଅଧିକାରୀମାନେ ଆମେରିକାର ଶିଖ୍ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ବିଷୟରେ ଚେତାବନୀ ଦେଇଥିଲେ।

Advertisment

ଆମେରିକାର ଶିଖ କକସ କମିଟିର ସଂଯୋଜକ ଥିବା ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ଆମେରିକୀୟ ନାଗରିକ ପ୍ରୀତପାଲ ସିଂହ ଅଭିଯୋଗ କରିଛନ୍ତି ଯେ, କାଲିଫର୍ଣ୍ଣିଆରେ ରାଜନୈତିକ ସଂଗଠନ ସହ ଜଡିତ ସେ ଓ ଅନ୍ୟ ଦୁଇ ଶିଖ୍-ଆମେରିକୀୟଙ୍କ ସହ ନିଜାରର ମୃତ୍ୟୁ ପରେ ଏଫ୍‌ବିଆଇ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ସିଂହ କହିଛନ୍ତି, ଜୁନ୍ ଶେଷରେ ମୋତେ ଦୁଇ ଜଣ ଏଫ୍‌ବିଆଇର ସ୍ୱତନ୍ତ୍ର ଏଜେଣ୍ଟ ଦେଖା କରିଥିଲେ। ମୋ ଜୀବନ ପ୍ରତି ବିପଦ ଅଛି ବୋଲି ସେମାନେ କହିଥିଲେ। ତେବେ ବିପଦ କେଉଁଠୁ ଆସୁଛି ତାହା ସେମାନେ ମୋତେ ସ୍ପଷ୍ଟ ଭାବରେ କହି ନ ଥିଲେ।

ସୁରକ୍ଷା ଦୃଷ୍ଟିରୁ ନିଜର ନାମ ଗୋପନ ରଖିବା ସର୍ତ୍ତରେ ଅନ୍ୟ ଦୁଇ ଶିଖ୍ କାର୍ଯ୍ୟକର୍ତ୍ତା ମଧ୍ୟ କହିଛନ୍ତି ଯେ ସମାନ ସମୟରେ ଏଫ୍‌ବିଆଇ ସେମାନଙ୍କୁ ବି ଦେଖା କରିଥିଲା ଓ ସତର୍କ ରହିବାକୁ କହିଥିଲା। ତେବେ ଏ ବାବଦରେ ଏଫ୍‌ବିଆଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ଆମେରିକା ଗୁଇନ୍ଦା ସଂସ୍ଥାର ଏହି ଚେତାବନୀ ଭାରତ ବିରୋଧରେ କାନାଡାର ଅଭିଯୋଗ ପ୍ରସଙ୍ଗକୁ ଆହୁରି ଜଟିଳ କରିଦେଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମେରିକାର ଗୁପ୍ତଚର ଏଜେନ୍ସିମାନେ ମଧ୍ୟ ସେମାନଙ୍କ କାନାଡୀୟ ପ୍ରତିପକ୍ଷଙ୍କୁ କିଛି ତଥ୍ୟ ପ୍ରଦାନ କରିଛନ୍ତି, ଯାହା କାନାଡାକୁ ସିଦ୍ଧାନ୍ତ ନେବାରେ ସାହାଯ୍ୟ କରିଛି ଯେ ନିଜାର ହତ୍ୟାରେ ଭାରତ ସମ୍ପୃକ୍ତ ଅଛି।