ଆମେରିକୀୟ ଟିଭି ଆଙ୍କର ହିଜାବ ପିନ୍ଧିଲେନି, ସାକ୍ଷାତକାର ପାଇଁ ମନାକଲେ ଇରାନ୍‌ ରାଷ୍ଟ୍ରପତି

ୱାସିଂଟନ : ଇରାନ୍‌ରେ ଏବେ ହିଜାବ ବିରୋଧରେ ଉଗ୍ର ପ୍ରଦର୍ଶନ ଚାଲିଥିବା ବେଳେ ଏହି ବିବାଦ ଆମେରିକାରେ ପହଞ୍ଚି ଯାଇଛି। ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନ୍‌ଏନ୍‌ ସହିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିପାଇଁ ଆଙ୍କର ହିଜାବ ପିନ୍ଧିବାକୁ ବାଧ୍ୟ ବୋଲି ରାଷ୍ଟ୍ରପତି ସର୍ତ୍ତ ରଖିଥିଲେ। ତେବେ ସିଏନ୍‌ଏନ୍‌ର ଅନ୍ତର୍ଜାତୀୟ ପ୍ରସଙ୍ଗ ସଂଚାଳନ କରୁଥିବା ଆଙ୍କର ଖ୍ରୀଷ୍ଟିୟନ ଏମନପୋର ରାଷ୍ଟ୍ରପତିଙ୍କ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ହିଜାବ ନପିନ୍ଧି ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେବାକୁ ଅପେକ୍ଷା କରିଥିଲେ। କିନ୍ତୁ ଆଙ୍କର ହିଜାବ ପିନ୍ଧିବେ ନାହିଁ ବୋଲି ଜଣାପଡ଼ିବା ପରେ ରାଷ୍ଟ୍ରପତି ଇବ୍ରାହିମ ରଇସି ସାକ୍ଷାତକାର ଦେବାକୁ ମନା କରିଦେଇଥିଲେ ଏବଂ କାର୍ଯ୍ୟକ୍ରମ ରଦ୍ଦ ହୋଇଥିଲା।

ମହିଳା ସାମ୍ବାଦିକ ଜଣକ ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେବାପାଇଁ ୪୦ ମିନିଟ୍‌ ଅପେକ୍ଷା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ଖାଲି ଚୌକିର ଫଟୋ ପୋଷ୍ଟ କରି ନିଜ ବୟାନ ରଖିଥିଲେ। ଏମନପୋର ତାଙ୍କ ଟ୍ବିଟ୍‌ରେ କହିଛନ୍ତି ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଭୀଷଣ ରୂପ ନେଇଛି ଏବଂ ଏହି ପ୍ରସଙ୍ଗରେ ସେ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରିବାକୁ ଚାହୁଥିଲେ। ସାକ୍ଷାତକାର ପୂର୍ବରୁ ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କୁ ହିଜାବ ପିନ୍ଧିବାକୁ କୁହାଯାଇଥିଲା ଏବଂ ଏହା ତାଙ୍କ ପାଇଁ କୌଣସି ସ୍ଥିତିରେ ବି ଗ୍ରହଣୀୟ ନଥିଲା ବୋଲି ଏମନପୋର କହିଛନ୍ତି।

ସମ୍ବନ୍ଧିତ ଖବର