ଆମେରିକାର ସାଇବର୍‌ ଆକ୍ରମଣ, ଇରାନ୍‌ ସାମରିକ ସଫ୍ଟୱେରକୁ ଟାର୍ଗେଟ୍‌

କଠୋର ଆର୍ଥିକ କଟକଣା ଲାଗୁ

ୱାସିଂଟନ: ଇରାନ୍‌ର ଗୁପ୍ତଚର ସଂସ୍ଥା ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର କମ୍ପ୍ୟୁଟର ସଫ୍ଟୱେର୍‌କୁ ଆମେରିକାର ସାଇବର୍‌ କମାଣ୍ଡ ଟାର୍ଗେଟ୍‌ କରିଛି। ଇରାନ୍‌ ଗୁପ୍ତଚର ସଂସ୍ଥାର ହ୍ୟାକର୍‌ମାନେ ଗତ ସପ୍ତାହରେ ଆମେରିକାର ପ୍ରତିରକ୍ଷା କମ୍ପ୍ୟୁଟରକୁ ହ୍ୟାକ୍‌ କରିବାକୁ ପ୍ରୟାସ କରିଥିବାରୁ ଏହାର ଜବାବରେ ଆମେରିକା ଏଭଳି ପଦକ୍ଷେପ ନେଇଛି। ଗତ ଗୁରୁବାର ଦିନ ଆମେରିକାର ଗୁଇନ୍ଦା ଡ୍ରୋନ୍‌କୁ ଇରାନ୍‌ କ୍ଷେପଣାସ୍ତ୍ର ମାଡ଼ କରି ଖସାଇବା ପରଠାରୁ ଉଭୟ ରାଷ୍ଟ୍ର ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଆମେରିକା ସାଇବର୍‌ କମାଣ୍ଡ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇରାନ୍‌ ଗୁପ୍ତଚର ସଂସ୍ଥାର ନେଟ୍‌ୱର୍କ ଅଚଳ ହୋଇଯାଇଥିବା କୁହାଯାଉଛି। ଉପସାଗରୀୟ ଅଂଚଳରେ ଇରାନ୍‌ର ଗୁପ୍ତଚର ନେଟ୍‌ୱର୍କକୁ ଅଚଳ କରିଦେଇ ଆମେରିକା ତା’ର ସାଇବର୍‌ ଶକ୍ତିର ପ୍ରମାଣ ଦେଇଛି । ଅନ୍ୟପକ୍ଷରେ ଇରାନ୍‌ର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ସଫ୍‌ଟୱେରକୁ ମଧ୍ୟ ଆମେରିକା ଟାର୍ଗେଟ୍‌ କରିବାରେ ସଫଳ ହୋଇଥିବା କୁହାଯାଉଛି ।

ଇରାନ୍‌ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନ୍‌ଲଡ ଟ୍ରମ୍ପ୍‌ ଆଜି ଆଉ କେତେକ ଆର୍ଥିକ କଟକଣା ଘୋଷଣା କରିଛନ୍ତି। ଇରାନ୍‌ ତା’ର ନୀତି ବଦଳାଇ ବନ୍ଧୁତାର ହାତ ବଢ଼ାଇଲେ ଏହା ଆମର ସବୁଠାରୁ ଭଲ ବନ୍ଧୁ ହୋଇପାରିବ, ଅନ୍ୟଥା ବଡ଼ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଇରାନ୍‌ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣିବା ପର୍ଯ୍ୟନ୍ତ ଅତି କଠୋର ଆର୍ଥିକ କଟକଣାକୁ ସମ୍ମୁଖୀନ ହେବାକୁ ବାଧ୍ୟ ବୋଲି ଟ୍ରମ୍ପ୍‌ କହିଛନ୍ତି। ଓମାନ ଉପସାଗରରେ ଆମେରିକାର ଯୁଦ୍ଧପୋତ ମୁତୟନକୁ ବିରୋଧ କରି ଇରାନ୍‌ ଆମେରିକାର ଗୁଇନ୍ଦା ଡ୍ରୋନ୍‌କୁ ଖସାଇବା ପରେ ସ୍ଥିତି ଜଟିଳ ହୋଇଛି। ଇରାନ୍‌ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ୍‌ ଗତ ଶୁକ୍ରବାର ଦିନ ଆଦେଶ ‌ଦେଇଥିଲେ ମଧ୍ୟ ଏହାର କିଛି ମିନିଟ୍‌ ପରେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଇରାନ୍‌ର ସାଧାରଣ ନାଗରିକଙ୍କ କୌଣସି କ୍ଷତି ପହଞ୍ଚାଇବାକୁ ଆମେରିକା ଚାହୁନାହିଁ ବୋଲି ଟ୍ରମ୍ପ୍‌ କହିଥିଲେ।

ଆମେରିକାକୁ ଇରାନ୍‌ର ଚେତାବନୀ, ସାମାନ୍ୟ ଆକ୍ରମଣ ବଡ଼ ଯୁଦ୍ଧର ରୂପ ନେବ
ଦୁବାଇ/ୱାସିଂଟନ: ଉପସାଗରୀୟ ଅଂଚଳରେ ଆମେରିକାର ଯେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବି ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଜି ଇରାନ ଆମେରିକାକୁ ଚେତାଇ ଦେଇଛି। ଇରାନ୍‌ ସେନାର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି ଯେ ଇରାନ୍‌ର କ୍ଷତି କରିବା ପାଇଁ ଆମେରିକାର ଯେ କୌଣସି ଉଦ୍ୟମର ଆମେ ଭୟଙ୍କର ଜବାବ ଦେବୁ ଏବଂ ଏ ବାବଦରେ ଆମେରିକା ଅବଗତ ରହିବା ଜରୁରୀ । ଉପାସାଗର ଅଂଚଳରେ ଆମେରିକାର ଦାଦାଗିରିକୁ ଆମେ ବିରୋଧ ଜାରି ରଖିଛୁ ଏବଂ ବଡ଼ ଯୁଦ୍ଧ ପାଇଁ ମଧ୍ୟ ତୟାର ଅଛୁ ବୋଲି ସେ କହିଛନ୍ତି। ଆଜି ଆମେରିକା ଇରାନ୍‌ ବିରୋଧରେ କେତେକ ନୂତନ ଆର୍ଥିକ କଟକଣା ଲାଗୁ କରିଥିବାରୁ ଇରାନ୍‌ ଏ ନେଇ କଡ଼ା ପ୍ରତିକ୍ରିୟା ରଖିଛି। ଅନ୍ୟପକ୍ଷରେ ଇରାନ୍‌-ଆମେରିକା ଉତ୍ତେଜନା ନେଇ ୟୁଏଇ ଆଜି ତା’ର ପ୍ରତିକ୍ରିୟା ରଖିଛି। ଉପସାଗର ଅଂଚଳରେ ଯେ କୌଣସି ସଙ୍କଟର ସମାଧାନ ରାଜନୈତିକ ସ୍ତରରେ ହୋଇପାରିବ ଏବଂ ଏଥିପାଇଁ ସାମରିକ ଶକ୍ତିର ଆବଶ୍ୟକ ନାହିଁ ବୋଲି ୟୁଏଇ କହିଛି।

ସମ୍ବନ୍ଧିତ ଖବର