ଆମେରିକାର ମାରାତ୍ମକ ଭୁଲ୍‌: ତାଲିବାନ ହାତରେ ଧରାଇଦେଲା ନିଜ ଲୋକଙ୍କ ‘ହତ୍ୟା ତାଲିକା’

କାବୁଲ: କାବୁଲରେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା କିଛି ଆମେରିକୀୟ‌ ଅଧିକାରୀ ଅତି ମାରାତ୍ମକ ଭୁଲ୍‌ କରିଛନ୍ତି। ସେମାନେ ନିଜ ଲୋକଙ୍କର ‘ହତ୍ୟା ତାଲିକା’ ତାଲିବାନକୁ ଦେଇଛନ୍ତି। ଉଦ୍ଧାର ହେବାକୁ ଥିବା ଲୋକଙ୍କର ଯେଉଁ ତାଲିକା ତାଲିବାନକୁ ଆମେରିକା ଦେଇଛି, ସେଥିରେ ନିଜଦେଶ ନାଗରିକ ଏବଂ ଆଫଗାନିସ୍ତାନରେ ଆମେରିକା ସେନାକୁ ସହଯୋଗ କରିଥିବା ଘନିଷ୍ଠ ସହଯୋଗୀଙ୍କ ନାମ ରହିଛି। ସେମାନେ ବିମାନବନ୍ଦରରେ ବିନା ବାଧାରେ ପହଞ୍ଚିବାପାଇଁ ଆମେରିକା ଅଧିକାରୀମାନେ ଏହି ତାଲିକା

ଦେଇଛନ୍ତି ବୋଲି କହିଛନ୍ତି। କିନ୍ତୁ ଆମେରିକା ଅଧିକାରୀଙ୍କ ଏହି କାର୍ଯ୍ୟରେ କିଛି ଆମେରିକା ସାଂସଦ ଏବଂ ସାମରିକ ଅଧିକାରୀମାନେ କ୍ଷୁବ୍ଧ ହୋଇଇଛନ୍ତି। ଜଣେ ପ୍ରତିରକ୍ଷା ଅଧିକାରୀ ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖି କହିଛନ୍ତି ସେମାନେ ଏହି ତାଲିକା ଦେଇ କେବଳ କିଛି ଆଫଗାନ ନାଗରିକଙ୍କୁ ‘ହତ୍ୟା ତାଲିକା’ରେ ରଖିଛନ୍ତି। ଏହା ଭୟାନକ ସ୍ଥିତି ଆଣିବ ଏବଂ ତାଲିକାରେ ଥିବା ହଜାର ହଜାର ଲୋକଙ୍କର ଜୀବନ ବିପଦାପନ୍ନ ହେବ। ତାଲିବାନ ହାତକୁ ଆମ ଲୋକଙ୍କ ବାବଦ ସବୁ ସୂଚନା ଚାଲିଯିବା ଅତି ଘାତକ ବୋଲି ସେ କହିଛନ୍ତି।

ଗତକାଲି ଜୋ ବାଇଡେନ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ତାଲିକା ସମ୍ପର୍କରେ ସେ ସ୍ପଷ୍ଟ ନୁହନ୍ତି। କିନ୍ତୁ ଉଦ୍ଧାର କାର୍ଯ୍ୟକୁ ସହଜ କରିବାପାଇଁ ଏହା ହୋଇଥାଇପାରେ। ତେବେ ରିପୋର୍ଟ କହୁଛି ୨୦ ବର୍ଷର ଯୁଦ୍ଧରେ ଆମେରିକା ସହ ରହିଥିବା ସମସ୍ତ ଆଫଗାନ ସହଯୋଗୀଙ୍କ ନାମ ଏହି ତାଲିକାରେ ରହିଛି। ବୁଧବ‌ାର ସୁଦ୍ଧା କେବଳ ଆମେରିକା ପାସପୋର୍ଟ ଏବଂ ଗ୍ରିନକାର୍ଡଧାରୀ ଲୋକଙ୍କୁ ବିମାନବନ୍ଦରରେ ପ୍ରବେଶ ଅନୁମତି ମିଳୁଥିଲା। ତେବେ ଆମେରିକା ଅଧିକାରୀମାନେ ଏହି ତାଲିକା ଦେବାଦ୍ବାରା ତାଲିକାରେ ଥିବା ଲୋକ ଏବେ ବିପଦରେ। ତାଲିବାନ ସେମାନଙ୍କୁ ଅତି ସହଜରେ ଟାର୍ଗେଟ୍‌ କରିପାରିବ ଏବଂ ଭବିଷ୍ୟତରେ ମଧ୍ୟ ଟାର୍ଗେଟ୍‌ କରିବାକୁ ବାଟ ପାଇଯିବ।

ସମ୍ବନ୍ଧିତ ଖବର