ଆଲାବାମା: ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁଦଣ୍ଡ ଦିଆଯିବା ଘଟଣାକୁ ନେଇ ହ୍ୱାଇଟ୍ ହାଉସ୍ ଗଭୀର ଅସନ୍ତୋଷ ପ୍ରକାଶ କରିଛି, ଯାହାକୁ ଜାତିସଂଘ ଓ ୟୁରୋପୀୟ ସଂଘ ମଧ୍ୟ ନିନ୍ଦା କରିଛନ୍ତି। ଦକ୍ଷିଣ ଆଲାବାମା ରାଜ୍ୟ ଗୁରୁବାର ଜଣେ ୫୮ ବର୍ଷୀୟ ଦୋଷୀ କେନେଥ୍ ସ୍ମିଥ୍‌ଙ୍କୁ ଏକ ଫେସ୍‌ମାସ୍କରେ ନାଇଟ୍ରୋଜେନ ଗ୍ୟାସ୍ ପମ୍ପ କରି ଅଣନିଃଶ୍ବାସୀ କରି ହତ୍ୟା କରିଛି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରିନ୍ ଜିନ୍ ପ୍ୟାରୀ ଗଣମାଧ୍ୟମକୁ କହିଛନ୍ତି, ନାଇଟ୍ରୋଜେନ୍ ଗ୍ୟାସ୍‌ର ବ୍ୟବହାର ଚିନ୍ତାଜନକ। ଏଥିରେ ଆମେ ଗଭୀରଭାବେ ବ୍ୟଥିତ।

Advertisment

ନିକଟରେ ଆମେରିକାରେ ମାରାତ୍ମକ ଇଞ୍ଜେକ୍ସନ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଛି କିନ୍ତୁ ଆଲାବାମା ଓ ଅନ୍ୟ ଦୁଇଟି ରାଜ୍ୟ - ଓକ୍ଲାହୋମା ଓ ମିସିସିପି ନାଇଟ୍ରୋଜେନ ଗ୍ୟାସ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆଲାବାମାର ଆଟର୍ଣ୍ଣି ଜେନେରାଲ ଷ୍ଟିଭ୍ ମାର୍ଶାଲ ଶୁକ୍ରବାର ସ୍ମିଥ୍‌ଙ୍କୁ ନାଇଟ୍ରୋଜେନ୍ ମାଧ୍ୟମରେ ଶ୍ୱାସରୁଦ୍ଧ କରି ମୃତ୍ୟୁଦଣ୍ଡ ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ନାଇଟ୍ରୋଜେନ୍ ଗ୍ୟାସ୍ ଦିଆଯିବା ପରେ ସ୍ମିଥ୍ ପାଖାପାଖି ୨ରୁ ୪ ମିନିଟ୍ ପର୍ଯ୍ୟନ୍ତ ଚିତ୍କାର କରିବା ସହ ହାତଗୋଡ଼ ଛାଟିଥିଲେ ଏବଂ ଏହା ପରେ ପାଖାପାଖି ୫ ମିନିଟ୍ ପ୍ରବଳ ଜୋରରେ ନିଃଶ୍ବାସପ୍ରଶ୍ୱାସ ନେଇଥିଲେ। ତା’ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର ତୁର୍କ, ୟୁରୋପୀୟ ସଂଘ ଏବଂ ଆମେରିକାର ନାଗରିକ ସ୍ୱାଧୀନତା ଗୋଷ୍ଠୀ ସ୍ମିଥ୍‌ଙ୍କ ମୃତ୍ୟୁଦଣ୍ଡର ଶୈଳୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନାଇଟ୍ରୋଜେନ ଗ୍ୟାସ୍ ଦ୍ୱାରା ଶ୍ୱାସରୁଦ୍ଧ ହେବାର ଏହି ଅଭିନବ ଓ ଅଣପରୀକ୍ଷିତ ପଦ୍ଧତି ନିଷ୍ଠୁର ଓ ଅମାନବୀୟ ହୋଇପାରେ ବୋଲି ତୁର୍କ କହିଛନ୍ତି। ଜେନେଭାସ୍ଥିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ମୁଖପାତ୍ର ରବିନା ଶାମଦାସାନି କହିଛନ୍ତି ଯେ ସ୍ମିଥ୍ ସ୍ପଷ୍ଟ ଭାବେ ଯନ୍ତ୍ରଣା ଭୋଗିଛନ୍ତି। ମୃତ୍ୟୁଦଣ୍ଡ ପାଇଁ ଏଭଳି ଅବ୍ୟବହୃତ ପଦ୍ଧତି ଅବଲମ୍ବନ କରିବା ପରିବର୍ତ୍ତେ ମୃତ୍ୟୁଦଣ୍ଡର ଅନ୍ତ ଘଟାଇବା ଉଚିତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୧୯୮୮ ମସିହାରେ ଜଣେ ପାଦ୍ରୀଙ୍କ ପତ୍ନୀ ଏଲିଜାବେଥ୍ ସେନେଟଙ୍କୁ ହତ୍ୟା ମାମଲାରେ ସ୍ମିଥ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ସେନେଟଙ୍କୁ ହତ୍ୟା କରିବା ପାଇଁ ସେ ତାଙ୍କ ସହଯୋଗୀ ଜନ୍ ପାର୍କରଙ୍କୁ ୧୦୦୦ ଡଲାର ଦେଇ ନିଯୁକ୍ତ କରିଥିଲେ। ୨୦୧୦ ମସିହାରେ ପାର୍କରଙ୍କୁ ମାରାତ୍ମକ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା।