ତରନ୍ ତାରନ୍: ଏକଦା ଆମେରିକାର ରିୟଲିଟି ଟେଲିଭିଜନ୍ ସୋ’ ‘ଗଟ୍ ଟାଲେଣ୍ଟ୍’ରେ ଭାଗ ନେଇ ଖ୍ୟାତି ଅର୍ଜନ କରିଥିବା ୭ ଫୁଟ୍ ୬ ଇଞ୍ଚ୍ ଡେଙ୍ଗା ପଞ୍ଜାବ ପୁଲିସର ଜଣେ ପୂର୍ବତନ କନେଷ୍ଟବଳଙ୍କୁ ‘ହେରୋଇନ୍’ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି।
ଶୁକ୍ରବାର ଦିନ ଉକ୍ତ ପୂର୍ବତନ କନେଷ୍ଟବଳ ଜଗଦୀପ ସିଂହ ଓରଫ୍ ଦୀପ ସିଂହଙ୍କୁ ତାଙ୍କର ୨ଜଣ ସହଯୋଗୀଙ୍କ ସହିତ ତରନ୍ ତାରନ୍ ଜିଲ୍ଲାରୁ ରାଜ୍ୟ ପୁଲିସର ‘ଷ୍ଟେଟ୍ ସ୍ପେସାଲ୍ ଅପରେସନ୍ ସେଲ୍’ ଗିରଫ କରିଛି। ତାଙ୍କ କାର୍ରୁ ଅଧକିଲୋ ହେରୋଇନ୍ ଜବତ କରାଯାଇଛି ବୋଲି ପୁଲିସ କହିଛି।
ଗାଡ଼ିରେ ସଦାସର୍ବଦା ପଞ୍ଜାବ ପୁଲିସ ଷ୍ଟିକର୍ ମାରି ବୁଲୁଥିବା ଜଗଦୀପ ସିଂହଙ୍କୁ ଗତକାଲି ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ୫ ଦିନ ପାଇଁ ପୁଲିସ ‘ରିମାଣ୍ଡ୍’ରେ ପଠାଇଛନ୍ତି। ପୁଲିସ ଏହି ‘ଡ୍ରଗ୍’ ଚୋରାଚାଲାଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।
ନିଉଜ୍ ଏଜେନ୍ସି ‘ପିଟିଆଇ’ ରିପୋର୍ଟ କରିଛି, ବିଶ୍ବର ସବୁଠୁ ଡେଙ୍ଗା ବୋଲି କୁହାଯାଉଥିବା ଜଗଦୀପ ‘ବୀର ଖାଲ୍ସା’ ସଙ୍ଗଠନର ସଦସ୍ୟ ମଧ୍ୟ ଥିଲେ। ଏହି ସଙ୍ଗଠନ ଦୁଃସାହିକ କାର୍ଯ୍ୟକଳାପ ପ୍ରଦର୍ଶନ କରିବା ସହିତ ପାରମ୍ପରିକ ଶିଖ୍ ‘ମାର୍ସାଲ୍ ଆଟ୍’ (ଆତ୍ମରକ୍ଷା ନିମନ୍ତେ ଯୁଦ୍ଧ କୌଶଳ) ‘ଗତ୍କା’ ପ୍ରଦର୍ଶନ କରେ।
୨୦୧୯ରେ ଆମେରିକାର ‘ଗଟ୍ ଟାଲେଣ୍ଟ୍’ରେ ଜଗଦୀପ ତଳେ ଶୋଇଥିଲେ ଓ ତାଙ୍କ ଚତୁଃପାର୍ଶ୍ବରେ ଅନେକ ନଡ଼ିଆ ଓ ତରଭୁଜ ରଖାଯାଇଥିଲା। ଆଖିରେ ଅନ୍ଧପୋଟଳି ବନ୍ଧା ଯାଇଥିବା ‘ବୀର ଖାଲ୍ସା’ର ସଂସ୍ଥାପକ କୱଁଲ୍ଜିତ୍ ସିଂହ ହାତୁଡ଼ି ଯୋଗେ ନଡ଼ିଆ ଓ ତରଭୁଜ ସବୁ ଛେଚି ଭାଙ୍ଗିଥିଲେ।