୩୫ ବର୍ଷ‌ରେ ୯୩ ମହିଳାଙ୍କୁ ହତ୍ୟା : ଆମେରିକାର ସବୁଠାରୁ ଘାତକ ସିରିୟଲ କିଲର୍‌ ସାମୁଏଲ

ୱାସିଂଟନ୍‌ : ଆମେରିକାର ଜଣେ ସିରିୟଲ କିଲର୍‌ ସାମୁଏଲ ଲିଟିଲ୍‌ ଗତବର୍ଷ ୯୩ ଜଣ ମହିଳାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ୨୦୧୨ ମସିହା‌ରୁ ଜେଲ୍‌ରେ ଥିବା ସାମୁଏଲ୍‌ ଗତବର୍ଷ ତଦନ୍ତକାରୀ ଟିମ୍‌ ପାଖରେ ସ୍ବୀକାର କରିଥିଲା ଯେ ସେ ୧୯୭୦ରୁ ୨୦୦୫ ମଧ୍ୟରେ ୯୩ ଜଣଙ୍କୁ ହତ୍ୟା କରିଛି। ସେ କେବଳ ମହିଳାମାନଙ୍କୁ ଟାର୍ଗେଟ୍‌ କରୁଥିଲା। ଏଫ୍‌ବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟା ମାମଲାରେ ସାମୁଏଲ୍‌ର ସ୍ବୀକାରୋକ୍ତି ବିଶ୍ବାସଯୋଗ୍ୟ। ୫୦ଟି ସ୍ବୀକାରୋକ୍ତିକୁ ପୂର୍ଣ୍ଣାଙ୍ଗ ଯାଞ୍ଚ କରିବାରେ ଆମେ ସକ୍ଷମ ହୋଇଛୁ ବୋଲି ଏଫ୍‌ବିଆଇ ଅଧିକାରୀମାନେ କହିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ୭୯ ବର୍ଷୀୟ ସାମୁଏଲ୍‌ ଲିଟିଲ୍‌ ହେଉଛି ଆମେରିକାର ସବୁଠାରୁ ଭୟାନକ ସିରିୟଲ କିଲର। ଜେଲ୍‌ରେ ଥିବା ଅବସ୍ଥାରେ ମଧ୍ୟ ସାମୁଏଲ୍‌ ଲିଟିଲ ନିଜେ ହତ୍ୟା କରିଥିବା କିଛି ମହିଳାଙ୍କ ଚିତ୍ର ଆଙ୍କିଛି। ଏହି ଚିତ୍ରଗୁଡ଼ିକୁ ଏଫ୍‌ବିଆଇକୁ ହସ୍ତାନ୍ତର କରାଯାଇଛି। ଅଧିକାଂଶ ମହିଳାଙ୍କୁ ସାମୁଏଲ୍‌ ତଣ୍ଟି ଚିପି ମାରୁଥିଲା। ୧୯୮୨ରେ ସାମୁଏଲ୍‌ ଜଣେ ମହିଳାଙ୍କୁ ପାଣିରେ ବୁଡ଼ାଇ ମାରିଥିବା କହିଛି। ଓହିଓରେ ମଧ୍ୟ୪ ଜଣ ମହ‌ିଳାଙ୍କୁ ହତ୍ୟା କରିଥିବା ନେଇ ସେ ଗତ ଅଗଷ୍ଟରେ ସ୍ବୀକାର କରିଥିଲା। ୨୦୧୩ରେ ସେ କାଲିଫର୍ଣ୍ଣିଆରେ ୩ ଜଣଙ୍କୁ ହତ୍ୟା କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛି। ବିଭିନ୍ନ ହତ୍ୟା ମାମଲରେ ସାମୁଏଲ ଲିଟିଲ୍‌ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଏବେ ଜେଲ୍‌ରେ ଅଛି।

ସମ୍ବନ୍ଧିତ ଖବର