ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଲଢ଼ିବେ ହିନ୍ଦୁ ସାଂସଦ ତୁଲ୍‌ସୀ ଗବାର୍ଡ

ୱାସିଂଟନ୍‌ : ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଲ୍‌ସୀ ଗବାର୍ଡ ଆଗାମୀ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ। ୩୭ ବର୍ଷୀୟା ତୁଲ୍‌ସୀ ଆଜି ଏ ବାବଦ ଘୋଷଣା କରିବା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରି ଖେଳିଯାଇଛି। ପୂର୍ବରୁ ଏନେଇ ସୂଚନା ମିଳିଥି‌ଲେ ମଧ୍ୟ ତୁଲ୍‌ସୀ ଗବାର୍ଡ ନିଜ ନିଷ୍ପତ୍ତି ନେଇ କିଛି ସ୍ପଷ୍ଟ କରିନଥିଲେ। ତେବେ ହାୱାଇରୁ ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେ‌ଣ୍ଟେଟିଭ୍‌ରୁ ୪ ଥର ଡେମୋକ୍ରାଟିକ୍‌ ସାଂସଦ ହୋଇଥିବା ଗବାର୍ଡ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ଏ ବାବଦ କଳ୍ପନାଜଳ୍ପନାର ଅବସାନ ଘଟିଛି। ଆସନ୍ତା ସପ୍ତାହ ଡେମୋକ୍ରାଟିକ୍‌ ଦଳ ମଧ୍ୟ ଏ ସଂକ୍ରାନ୍ତ କେତେକ ଘୋଷଣା କରିବ। ସିନେଟର ଏଲିଜାବେଥ୍‌ ୱାରେନ୍‌ଙ୍କ ପରେ ତୁଲ୍‌ସୀ ଡେମୋକ୍ର‌ାଟିକ୍‌ ପାର୍ଟିରୁ ଦ୍ବିତୀୟ ମହିଳାଭାବେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେଉଛନ୍ତି। ଆମେରିକାର ପୂର୍ବ ସେନା ଅଧିକାରୀ ଗବାର୍ଡ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରୀୟ । ଗବାର୍ଡ ଯଦି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଆମେରିକାର ପ୍ରଥମ ମହିଳା ତଥା ସବୁଠୁ କମ୍‌ ବୟସର ରାଷ୍ଟ୍ରପତି ହେବେ। ତେବେ ଗବାର୍ଡଙ୍କ ବାଦ୍‌ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ସିନେଟର କମଳା ହାରିସ୍‌ଙ୍କ ସମେତ ୧୨ରୁ ଊର୍ଦ୍ଧ୍ବ ଡେମୋକ୍ରାଟିକ୍‌ ନେତା ଆସନ୍ତା ୨୦୨୦ ଆମେରିକା‌ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଚ୍ୟାଲେଂଜ କରିବେ। ପୂର୍ବତନ ଆାମେରିକା ଉପରାଷ୍ଟ୍ରପତି ଜୋ ବିଡେନ୍‌ ମଧ୍ୟ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାପାଇଁ ଆଗ୍ରହ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର