ନୂଆଦିଲ୍ଲୀ : ଆମେରିକାର ଆର୍‌’ବୋନି ଗାବ୍ରିଏଲ ୨୦୨୨ ମସିହା ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ‌(ମିସ୍‌ ୟୁନିଭର୍ସ) ଘୋଷିତ ହୋଇଛନ୍ତି। ବିଶ୍ବର ୮୬ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ସେ ବିଜୟୀ ମୁକୁଟ ବାଜି ମାରି ନେଇଛନ୍ତି। ଆମେରିକାର ଲୁଇସିଆନା ପ୍ରଦେଶର ନ୍ୟୁ ଅର୍ଲିନ୍ସ ସ୍ଥିତ ୟର୍ଣ୍ଣେଷ୍ଟ ଏନ୍‌ ‌ମୋରିଆଲ କନଭେନସନ ସେଣ୍ଟରରେ ଆୟୋଜିତ ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗତ ବର୍ଷର ବିଜେତା ଭାରତର ହରନାଜ ସାନ୍ଧୁ ଯୋଗଦେଇ ୨୮ ବର୍ଷୀୟା ଗାବ୍ରିଏଲଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି। ଭେନେଜୁଏଲାର ଅମଣ୍ଡା ଡୁଡାମେଲ୍ ପ୍ରଥମ ରନର-ଅପ୍ ଏବଂ ଡୋମିନିକା ରିପବ୍ଲିକର ଏଣ୍ଡ୍ରିନା ମାର୍ଟିନେଜ ଦ୍ବିତୀୟ ରନର-ଅପ୍ ହୋଇଛନ୍ତି। ଭାରତର ଦିବିତା ରାୟ ୧୬ତମ ସ୍ଥାନରେ ରହିଛନ୍ତି।

Advertisment

ଟେକ୍ସାସର ହ୍ୟୁଷ୍ଟନ ବାସିନ୍ଦା ଗାବ୍ରିଏଲ ଜଣେ ଫେସନ ଡିଜାଇନର, ମଡେଲ ଏବଂ ସିଲେଇ ଟ୍ରେନର। ତାଙ୍କ ବିଜୟ ମୁକୁଟକୁ ସେ ଜଣେ ପରିବର୍ତ୍ତନକାରୀ ନେତା ଭାବେ ବ୍ୟବହାର କରିବାକୁ ଚାହୁଛନ୍ତି ବୋଲି କହିଛନ୍ତି। ଗ୍ରାବ୍ରିଏଲଙ୍କ ମା’ ଜଣେ ଆମେରିକୀୟ ହୋଇଥିବାବେଳେ ବାପା ଫିଲିପାଇନ୍ସର। ୧୩ ବର୍ଷ ହେଲା ଗାବ୍ରିଏଲ ସି‌ଲେଇ ପ୍ରଶିକ୍ଷଣ ଅନୁଷ୍ଠାନ ଚଳାଇଛନ୍ତି। ଘରୋଇ ହିଂସା ଏବଂ ମାନବ ଚୋରା ଚାଲାଣରୁ ବର୍ତ୍ତି ଯାଇଥିବା ମହିଳାମାନଙ୍କୁ ସେ ସିଲେଇ ତାଲିମ ଦେଇଥାନ୍ତି। ପ୍ରଦୂଷଣ କମ୍‌ କରିବା ପାଇଁ ସେ ରିସାଇକେଲ୍ଡ ସାମଗ୍ରୀରୁ ମଧ୍ୟ ପୋଷାକ ବନାଇଥାନ୍ତି।