ଆମେଥି: ଭାରତୀୟ ସଶସ୍ତ୍ର ବାହିନୀକୁ ଏକେ-୨୦୩ ଆସଲ୍ଟ ରାଇଫଲର ଏକ ନୂଆ ବ୍ୟାଚ୍ ମିଳିବାକୁ ଯାଉଛି, ଯାହା କାଲାସ୍ନିକୋଭ୍ ସିରିଜ୍ର ଏକ ଆଧୁନିକ ସଂସ୍କରଣ। ଗୋଟିଏ ମିନିଟ୍ରେ ଏଥିରୁ ୭୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଯାଇପାରିବ ଏବଂ ଏହାର ରେଞ୍ଜ ୮୦୦ ମିଟର ରହିଛି। ଇଣ୍ଡୋ-ରଷିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (ଆଇଆର୍ଆର୍ପିଏଲ୍) ହେଉଛି ଏକ ଯୁଗ୍ମ ଉଦ୍ୟୋଗ କମ୍ପାନି ଯାହା ଉତ୍ତର ପ୍ରଦେଶର ଆମେଥିରେ ‘ଶେର୍’ ନାମକ ଏକେ-୨୦୩ର ସ୍ୱଦେଶୀ ଉତ୍ପାଦନ ପାଇଁ ସ୍ଥାପିତ ହୋଇଛି। ୫୨୦୦ କୋଟି ଟଙ୍କାର ଚୁକ୍ତି ଅନୁଯାୟୀ କମ୍ପାନି ସଶସ୍ତ୍ର ବାହିନୀକୁ ୬ ଲକ୍ଷରୁ ଅଧିକ ରାଇଫଲ ଯୋଗାଣ କରିବ। ଆଇଆର୍ଆର୍ପିଏଲ୍ ମୁଖ୍ୟ ମେଜର ଜେନେରାଲ ଏସ୍କେ ଶର୍ମା ଗୁରୁବାର କହିଛନ୍ତି ଯେ, ସେମାନେ ଡିସେମ୍ବର ୨୦୩୦ ସୁଦ୍ଧା ଡେଲିଭରି ଶେଷ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮ ହଜାର ରାଇଫଲ୍ ଯୋଗାଇ ଦିଆଯାଇଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଆଉ ୭ ହଜାର ଓ ଡିସେମ୍ବର ସୁଦ୍ଧା ୧୫ ହଜାର ଅତିରିକ୍ତ ରାଇଫଲ୍ ହସ୍ତାନ୍ତର କରାଯିବ।
ଏକେ-୪୭ ଓ ଏକେ-୫୬ ରାଇଫଲ ତୁଳନାରେ ଏକେ-୨୦୩ ‘ଶେର୍’ ଯଥେଷ୍ଟ ଅଧିକ ଆଧୁନିକ। କାଲାସ୍ନିକୋଭ୍ ସିରିଜ୍ର ସବୁଠାରୁ ମାରାତ୍ମକ ରାଇଫଲ୍ ମଧ୍ୟରୁ ଏହା ଅନ୍ୟତମ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେବାରେ ଥିବା ଭାରତୀୟ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ପ୍ରଣାଳୀ (ଇନ୍ସାସ୍) ରାଇଫଲର ସ୍ଥାନ ନେବ ଏକେ-୨୦୩। ଏଥିରେ ୭.୬୨×୩୯ ମିଲିମିଟର କାଟ୍ରିଜ୍ ଥିବା ବେଳେ ଇନ୍ସାସ୍ ପାଖରେ ୫.୫୬×୪୫ ମିଲିମିଟର କାଟ୍ରିଜ୍ ରହିଛି। ଏହାର ମାଗାଜିନରେ ଗୋଟିଏ ଥରରେ ୩୦ଟି କାର୍ଟ୍ରିଜ୍ ଲଗାଯାଇପାରିବ। ଆତଙ୍କବାଦ ବିରୋଧୀ ଅଭିଯାନରେ ଭାରତୀୟ ସେନାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଥିବା ଏହି ରାଇଫଲ୍ର ଓଜନ ପ୍ରାୟ ୩.୮ କେଜି ଥିବା ବେଳେ ଇନସାସ୍ର ଓଜନ ୪.୧୫ କେଜି ରହିଛି। ‘ଶେର୍’ ରାଇଫଲ୍ର ଲମ୍ବ ୭୦୫ ମିଲିମିଟର ହୋଇଥିବା ବେଳେ ଇନସାସ୍ ରାଇଫଲର ଲମ୍ବ ୯୬୦ ମିଲିମିଟର। ନିୟନ୍ତ୍ରଣ ରେଖା ଓ ବାସ୍ତବ ନିୟନ୍ତ୍ରଣ ରେଖା ସମେତ ଉତ୍ତର ଓ ପଶ୍ଚିମ ସୀମାରେ ମୁତୟନ ହୋଇଥିବା ସୈନିକମାନଙ୍କ ପାଇଁ ଏହା ପ୍ରାଥମିକ ଆସଲ୍ଟ ରାଇଫଲ ହେବ।