୭ରେ ଆମିକସ୍‌କ୍ୟୁରି ଓ ସଲିସିଟର ଜେନେରାଲଙ୍କ ଶ୍ରୀମନ୍ଦିର ପରିଦର୍ଶନ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ପରିସ୍ଥିତିର ସରଜମିନ୍‌ ଅନୁଧ୍ୟାନ ସହ ଶ୍ରୀମନ୍ଦିରର ସୁରକ୍ଷା ଓ ଉନ୍ନତୀକରଣ ସଂପର୍କରେ ପରାମର୍ଶ ଦେବା ପାଇଁ ଚଳିତ ମାସ ୭ ତାରିଖ (ଶନିବାର) ଦିନ ଶ୍ରୀମନ୍ଦିର ପରିଦର୍ଶନ କରିବେ ଆମିକସ୍‌କ୍ୟୁରି ରଣଜିତ କୁମାର ଓ ସଲିସିଟର ଜେନେରାଲ ତୁ‌ଷାର ମେହେଟ୍ଟା। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ରଙ୍କ ସୂଚନା ଅନୁସାରେ, ଆମିକସ୍‌କ୍ୟୁରି ଓ ସଲିସିଟର ଜେନେରାଲ ଆସନ୍ତା ୬ ତାରିଖ ସନ୍ଧ୍ୟାରେ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ପୁରୀ ଯିବେ। ୭ ତାରିଖରେ ଉଭୟ ଶ୍ରୀମନ୍ଦିର ପରିଦର୍ଶନ କରି ଉଚ୍ଛେଦ ସ୍ଥିତି ଅନୁଧ୍ୟାନ କରିବା ସହିତ ଶ୍ରୀମନ୍ଦିରର ବିକାଶ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଯାହାକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ଧାର୍ଯ୍ୟ ହୋଇଥିବାରୁ ତା’ ପୂର୍ବରୁ ଆମିକସ୍‌କ୍ୟୁରି ଓ ସଲିସିଟର ଜେନେରାଲ ମିଳିତ ରିପୋର୍ଟ କୋର୍ଟରେ ଦାଖଲ କରିବେ। ଆମିକସ୍‌କ୍ୟୁରି ଓ ସଲିସିଟର ଜେନେରାଲଙ୍କ ଗସ୍ତ ସମୟରେ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ପୁରୀ ଗସ୍ତ ସମୟରେ ଆମିକସ୍‌କ୍ୟୁରି ଓ ସିଲିସିଟର ଜେନେରାଲ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଜଡ଼ିତ ଥିବା ବିଭିନ୍ନ ପକ୍ଷ, ଷ୍ଟେକ୍‌ ହୋଲଡର, ଗଜପତି ମହାରାଜ ଏବଂ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ କି ନାହିଁ ସେ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌କ୍ୟୁରି ରଣଜିତ କୁମାର ଶ୍ରୀମନ୍ଦିର ପରିଦର୍ଶନ କରି ଏକ ବିସ୍ତୃତ ରିପୋର୍ଟ ଦାଖଲ କରିସାରିଛନ୍ତି। ଯାହାର ଶୁଣାଣି ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର