ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ : ଓଡିଶାର ସାଂସଦ, ବିଧାୟକଙ୍କ ନାମରେ ରହିଛି ୨୨୦ଟି ଅପରାଧିକ ମାମଲା

ନୂଆଦିଲ୍ଲୀ : ବର୍ତ୍ତମାନର ଓଡ଼ିଆ ସାଂସଦ ଓ ବିଧାୟକଙ୍କ ନାମରେ ୨୨୦ଟି ଅପରାଧିକ ମାମଲା ରହିଛି। ଯଦି ପୂର୍ବତନ ସାଂସଦ ଓ ବିଧାୟକଙ୍କୁ ଏଥିରେ ସାମିଲ୍ କରାଯାଏ, ସମୁଦାୟ ମାମଲା ସଂଖ୍ୟା ୩୩୧ରେ ପହଞ୍ଚିବ। ୩୩୧ଟି ମାମଲା ମଧ୍ୟରୁ ୩୨ଟି ହେଉଛି ଆଜୀବନ କାରାଦଣ୍ଡଜନିତ। ସେଥିମଧ୍ୟରୁ ଏବର ସାଂସଦ ଓ ବିଧାୟକଙ୍କ ନାମରେ ୧୦ଟି ମାମଲା ରହିଥିବାବେଳେ ପୂର୍ବତନ ସାଂସଦ, ବିଧାୟକଙ୍କ ନାଁରେ ରହିଛି ୨୨ଟି ମାମଲା। ଆମିକସ୍ କ୍ୟୁରି ବିଜୟ ହଂସାରିଆଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି।

ଦେଶରେ ସାଂସଦ ଓ ବିଧାୟକମାନଙ୍କ ନାମରେ ବିଚାରାଧୀନ ଥିବା ଅପରାଧିକ ମାମଲା ସମ୍ପର୍କରେ ହାଇକୋର୍ଟମାନଙ୍କ ପାଖରୁ ଉପଲବ୍ଧ ହୋଇଥିବା ତଥ୍ୟକୁ ଆଧାର କରି ଆମିକସ୍‌କ୍ୟୁରି ଏହି ସତ୍ୟପାଠ ଦାଖଲ କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ ୫ ଓ ଅଗଷ୍ଟ ୩୧ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ଅଦାଲତଙ୍କୁ ସହାୟତା କରୁଥିବା ଆମିକସ କ୍ୟୁରି ଓ ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ ଓ ଆଇନଜୀବୀ ସ୍ନେହ କଲିତାଙ୍କୁ ହାଇକୋର୍ଟମାନଙ୍କ ନିକଟରୁ ହାସଲ ହୋଇଥିବା ତଥ୍ୟ ଗୁଡିକୁ ସଙ୍କଳିତ କରି କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ସତ୍ୟପାଠରେ ଓଡିଶା ସମେତ ସବୁ ରାଜ୍ୟର ସାଂସଦ ଓ ପୂର୍ବତନ ସାଂସଦ ତଥା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ନାମରେ ଥିବା ଅପରାଧିକ ମାମଲାର ବିବରଣୀ ପ୍ରଦାନ କରାଯାଇଛି।

ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୮ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ଓ ପୂର୍ବତନ ସାଂସଦ ଓ ବିଧାୟକଙ୍କ ନାମରେ ସମୁଦାୟ ୪୪୪୨ ଅପରାଧିକ ମାମଲା ବିଚାରାଧୀନ ରହିଛି। ଏହି ତାଲିକାରେ ଶୀର୍ଷରେ ରହିଛି ଉତ୍ତରପ୍ରଦେଶ। ଏହି ରାଜ୍ୟର ଏବର ଓ ପୂର୍ବର ସାଂସଦ ତଥା ବିଧାୟକଙ୍କ ନାମରେ ସମୁଦାୟ ୧୨୧୭ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ନାମରେ ମାମଲା ସଂଖ୍ୟା ହେଉଛି ୪୪୬। ଏହି ରାଜ୍ୟ ପଛକୁ କେରଳର ଏବର ସାଂସଦ, ବିଧାୟକଙ୍କ ନାମରେ ସମୁଦାୟ ୩୧୦ଟି ମାମଲା ରହିଥିବାବେଳେ ବିହାରରେ ୨୫୬ଟି ମାମଲା ରହିଛି। ୨୨୨ଟି ମାମଲା ସହ ମହାରାଷ୍ଟ୍ର ୪ର୍ଥ ସ୍ଥାନରେ ରହିଥିବାବେଳେ ଓଡ଼ିଶାର ସ୍ଥାନ ହେଉଛି ପଞ୍ଚମ। ହାଇକୋର୍ଟ ଓ ସୁପ୍ରିମକୋର୍ଟ ଦ୍ବାରା ସମୁଦାୟ ୩୫୨ଟି ମାମଲାରେ ରହିତାଦେଶ ଜାରି କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନର ସାଂସଦ ଓ ବିଧାୟକମାନଙ୍କ ନାମରେ ୨୫୫୬ ମାମଲା ରହିଛି ଯେଉଁଥିରୁ ୧୭୪ ମାମଲା ଆଜୀବନ କାରାଦଣ୍ଡଜନିତ ରହିଛି।

ରିପୋର୍ଟରେ ଓଡିଶା ସନ୍ଦର୍ଭରେ ୭ଟି ମାମଲାର ସ୍ଥିତି ସଂପର୍କରେ ଉଲ୍ଲେଖ କରାଯାଇଛି। ମାମଲାଗୁଡିକର ତୁରନ୍ତ ଶୁଣାଣି ପାଇଁ ସାଂସଦ ଓ ବିଧାୟକମାନଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟର ଗଠନ କରିବା, ପ୍ରାଥମିକତା ଭିତ୍ତିରେ ଟ୍ରାଏଲ ପ୍ରକ୍ରିୟା ଆରମ୍ଭ କରିବା, ସାକ୍ଷ୍ୟଙ୍କୁ ସୁରକ୍ଷା ପ୍ରଦାନ କରାଯିବା ତଥା ମାମଲାଗୁଡିକୁ ହାଇକୋର୍ଟ ଦ୍ବାରା ତଦାରଖ କରିବା ଭଳି ଲିଖିତ ଯୁକ୍ତି ଆମିକସ୍ କ୍ୟୁରିଙ୍କ ଦ୍ବାରା ରିପୋର୍ଟରେ ଉପସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର