‘ସିଏଏ’ ବିରୋଧୀ ଗୁଜବ ପ୍ରଶମନ ପାଇଁ ୩୦ ହଜାର କର୍ମୀଙ୍କୁ ପଶ୍ଚିମବଙ୍ଗ ପଠାଇବ ବିଜେପି

ନୂଆଦିଲ୍ଲୀ: ‘ସିଏଏ’ ବିଷୟରେ ବାସ୍ତବ ସୂଚନା ଦେବା ଏବଂ ଏହା ବିରୋଧରେ ଉଠିଥିବା ଗୁଜବ ପ୍ରଶମନ ପାଇଁ ଭାରତୀୟ ଜନତା ଦଳ ପଶ୍ଚିମବଙ୍ଗକୁ ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀଙ୍କୁ ପଠାଇବ।

ସ୍ୱେଚ୍ଛାସେବୀମାନେ ଦ୍ୱାର ଦ୍ୱାର ବୁଲି ଏହି ଆଇନ ବିଷୟରେ ଲୋକମାନଙ୍କୁ ବୁଝାଇବେ। ଜାନୁଆରି ଶେଷ ଆଡ଼କୁ ଏହି ଅଭିଯାନ ଆରମ୍ଭ ହେବ।
ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେ ପି ନାଡ୍ଡାଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏ ବିଷୟରେ ଆସନ୍ତାକାଲି ବିଜେପିର ମହିଳା ଶାଖା ସହ ଏକ ବୈଠକ ଆୟୋଜନ କରାଯାଇଛି। ଏହା ସହ ‘ସିଏଏ’କୁ ସମର୍ଥନ କରି କୋଟି କୋଟି ଲୋକ ଲେଖିଥିବା ଚିଠିଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଯିବ।

Image Source: Firstpost

ଭାରତରେ ବସବାସ କରୁଥିବା ଲୋକମାନଙ୍କ ଉପରେ ‘ସିଏଏ’ କୌଣସି କୁପ୍ରଭାବ ପକାଇବ ନାହିଁ ବୋଲି ପୂର୍ବରୁ ପ୍ରତିବାଦକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ। ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିଷୟରେ ମୁସଲମାନମାନେ ଆଶଙ୍କାଗ୍ରସ୍ତ ନ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ବି କହିଥିଲେ।

ଦୁଇ ଜଣ ମୁସଲମାନ ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଥିବାର ଆନିମେଟେଡ୍‌ ଭିଡିଓ ମଧ୍ୟ ବିଜେପି ସୋମବାର ଦିନ ପୋଷ୍ଟ୍‍ କରିଥିଲା।

ଏହା ସତ୍ତ୍ୱେ ଦେଶର କେତେକ ଅଞ୍ଚଳରେ ପ୍ରତିବାଦ ଓ ହିଂସାକାଣ୍ଡ ଲାଗି ରହିଲା। ଏହାକୁ ବିରୋଧ କରି କେତେକ ରାଜନେତା ମଧ୍ୟ ପ୍ରତିବାଦକାରୀଙ୍କୁ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର