ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ପୃଥିବୀରେ ସୁସମ୍ପର୍କ ନ ଥିଲେ ବି ମହାଶୂନ୍ୟରୁ ମହାକାଶଚାରୀଙ୍କୁ ଉଦ୍ଧାର କରିବା ଲାଗି ଆମେରିକା ଓ ରୁଷ୍ ମିଳିତ ଭାବେ ଯୋଜନା କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ସଂଗୃହୀତ ସୂଚନା ଅନୁସାରେ, ଗତବର୍ଷ ଗୋଟାଏ କ୍ଷୁଦ୍ର ଉଲ୍କା ଧକ୍କା ଦେବାରୁ ଏକ ‘ସୋୟୁଜ୍’ ମହାକାଶଯାନ ମରାମତି ହୋଇ ନ ପାରିଲା ଭଳି କ୍ଷତିଗ୍ରସ୍ତ ହେବା ପରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀମାନଙ୍କୁ ଉଦ୍ଧାର କରିବା ଲାଗି ଦୁଇ ଦେଶ ମିଳିତ ଅଭିଯାନ ପାଇଁ ଯୋଜନା କରୁଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ‘ସୋୟୁଜ୍’ ମହାକାଶଯାନରେ ୨ଜଣ ରୁଷୀୟ ଓ ଜଣେ ଆମେରିକୀୟ ମହାକାଶଚାରୀ ପୃଥିବୀକୁ ଫେରିଥାଆନ୍ତେ। କିନ୍ତୁ, ଏବେ ଉକ୍ତ ମହାକାଶଯାନ ସେମାନଙ୍କୁ ନ ଆଣି ଖାଲି ଫେରିଆସିବ।
ଉଲ୍କା ଧକ୍କା ଯୋଗୁଁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ‘ସୋୟୁଜ୍ ଏମ୍ଏସ୍-୨୨’ରେ ହୋଇଥିବା ‘କୁଲାଣ୍ଟ୍ ଲିକ୍’ ଘଟଣାକୁ ତର୍ଜମା କରିବା ପରେ ଆମେରିକାର ‘ନାସା’ ଏବଂ ରୁଷ୍ର ‘ରୋସ୍କସ୍ମସ୍’ ମିଳିତ ଭାବେ ସେଠାକର ‘ଫ୍ଲାଇଟ୍ ପ୍ଲାନ୍’ ବ୍ୟବସ୍ଥାକୁ ସଜାଡୁଛନ୍ତି। ସେମାନେ କହିଛନ୍ତି କି, ଉପରୋକ୍ତ ମହାକାଶଯାନରେ ମହାକାଶଚାରୀମାନେ ସ୍ବାଭାବିକ ଭାବେ ଫେରିବା ସମ୍ଭବପର ନୁହେଁ।
ତେଣୁ, ‘ସୋୟୁଜ୍ ଏମ୍ଏସ୍-୨୨’ ବଦଳରେ ମହାକାଶଚାରୀଙ୍କୁ ଫେରାଇ ଆଣିବା ଲାଗି ‘ସୋୟୁଜ୍ ଏମ୍ଏସ୍-୨୩’ ପଠାଯିବ ବୋଲି ‘ନାସା’ କହିଛି। ୩ଜଣ ମହାକାଶଚାରୀଙ୍କୁ ଉଦ୍ଧାର କରିବା ଲାଗି ଫେବ୍ରୁଆରି ୨୦ ତାରିଖ ଦିନ ଏହି ମହାକାଶଯାନ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଅଭିମୁଖେ ଉଡ଼ାଣ ଆରମ୍ଭ କରିବ।