ଚାଷୀଙ୍କ ମନୋବଳ ବଢ଼ାଇବାକୁ କୋଭିଡ୍-୧୯ ଲକ୍‌ଡାଉନ୍ ବେଳେ ମାଲବାହୀ ବିମାନରେ ଦୁବାଇକୁ ବୋଇତିକଖାରୁ ପଠାଇଲା ଆସାମ

ଗୌହାଟି: କୋଭିହ୍-୧୯ ସଂକ୍ରମଣ ନିୟନ୍ତ୍ରଣ ଲାଗି ଚାଲିଥିବା ଲକ୍‌ଡାଉନ୍‌ ମଧ୍ୟରେ ଗୁରୁବାର ଦିନ ଆସାମ ସରକାର ଦୁବାଇକୁ ଏକ ମାଲବାହୀ ବିମାନ ଯୋଗେ ରାଜ୍ୟରେ ଉତ୍ପାଦିତ ବୋଇତିକଖାରୁ ପଠାଇଛନ୍ତି।

କୃଷିମନ୍ତ୍ରୀ ଅତୁଳ ବୋରା ଏବଂ ପରିବହନ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୱାରୀଙ୍କ ଉପସ୍ଥିତିରେ ଗୌହାଟିର ଲୋକପ୍ରିୟ ଗୋପୀନାଥ ବୋର୍ଦ୍ଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଗୋ ଟର୍ମିନାଲ୍‌ରେ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍ ପତାକା ହଲାଇ ମାଲବାହୀ ବିମାନର ଉଡ଼ାଣ ଆରମ୍ଭ କରାଇଥିଲେ।

ଟୁଇଟ୍ କରି ସୋନୋୱାଲ୍ କହିଛନ୍ତି, ଆମର ସାମର୍ଥ୍ୟ ଅନ୍ବେଷଣ କରିବାକୁ କୋଭିଡ୍-୧୯ର ଆହ୍ବାନ ଆମକୁ ବ୍ୟାପକ ସୁଯୋଗ ଦେଇଛି। ଆସାମ କୃଷକ ଓ ସରକାରୀ ଏଜେନ୍‌ସିଙ୍କ ଉଦ୍ୟମ ଉତ୍ତରକୋଭିଡ୍ ବିଶ୍ବରେ ଆମ ପାଇଁ ନୂତନ ପଥ ଉନ୍ମୋଚନ କରୁଛି।

Image Source: Pratidin Time

ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍-୧୯ ସଂକ୍ରମଣ ପୂର୍ବରୁ ରାଜ୍ୟର ଚାଷୀମାନେ ବିଭିନ୍ନ ଦେଶକୁ ୧୮୨ ମେଟ୍ରିକ୍ ଟନ୍ ଫଳ ଓ ପରିବା ପ୍ରେରଣ କରିଥିଲେ। ମାର୍ଚ ୨୫ରେ ଲକ୍‌ଡାଉନ୍ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ବିଦେଶକୁ ଏହି ମାଲ୍ ପଠାଯାଇଛି।

ଚାଷୀମାନଙ୍କର ମନୋବଳ ବଢ଼ାଇବା ପାଇଁ ଲକ୍‌ଡାଉନ୍‌ କଟକଣା ସତ୍ତ୍ବେ  ଆମେ ଅଳ୍ପ ପରିମାଣର ବୋଇତିକଖାରୁ ଦୁବାଇକୁ ପଠାଇଲୁ। ପରେ ଆହୁରି ପଠାଯିବ ବୋଲି କୃଷିମନ୍ତ୍ରୀ ଅତୁଳ ବୋରା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ଆମ ଚାଷୀମାନେ ରାଜ୍ୟରେ ଏବଂ ରାଜ୍ୟ ବାହାରେ ୩୫୭ କୋଟି ଟଙ୍କାର ଫଳ, ପରିବା ଏବଂ ମସଲା ବିକ୍ରୟ କରିଛନ୍ତି।

ସମ୍ବନ୍ଧିତ ଖବର