ତିକ୍ତ ହେଉଛି କୂଟନୈତିକ ସଂପର୍କ: ନୂଆଦିଲ୍ଲୀରେ ଥିବା ପାକ୍‌ ହାଇ କମିଶନର ସୋହିଲ ମହମ୍ମଦଙ୍କୁ ନିଜ ଦେଶକୁ ଡକାଇ ନେଲା ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍‌-ଇ ମହମ୍ମଦ ପକ୍ଷରୁ ପୁଲଓ୍ଵାମା ଠାରେ କରା ଯାଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍‌ ଯବାନ ଶହୀଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଆଜି ନୂଆଦିଲ୍ଲୀରେ ଥିବା ପାକିସ୍ତାନର ହାଇ କମିଶନର ସୋହିଲ ମହମ୍ମଦଙ୍କୁ ପାକିସ୍ତାନ ନିଜ ଦେଶକୁ ଡକାଇ ନେଇଛି। ସାଂପ୍ରତିକ ପରିସ୍ଥିତି ସଂପର୍କରେ ଆଲୋଚନା କରିବା ପାଇଁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନର ହାଇ କମିଶନରଙ୍କୁ ଇସ୍‌ଲାମାବାଦ ଡକା ଯାଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରଳୟ ପକ୍ଷରୁ ସଫେଇ ଦିଆଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟ, ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ଭାରତ ସରକାର ପାକିସ୍ତାନ ହାଇମିଶନର ସୋହିଲ ମହମ୍ମଦଙ୍କୁ ଡକାଇ ନିଜର ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ଏଥିସହ ଭାରତ ପାକିସ୍ତାନ ଠାରୁ ‘ମୋଷ୍ଟ ଫେଭର୍ଡ ନେସନ’ (ଏମ୍‌ଏଫ୍‌ଏନ୍‌) ପ୍ରତ୍ୟାହାର କରିନେବା ସହ କୂଟନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପୂର୍ଣ୍ଣ ଏକଘରକିଆ କରିଦେବା ପାଇଁ ଭାରତ ପ୍ରୟାସ ଆରମ୍ଭ କରିଛି। ଏବଂ ଏଥିପାଇଁ ଭାରତକୁ ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ର ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ଏହି ଘଟଣାରେ ଛାନିଆ ହୋଇ ନୂଆଦିଲ୍ଲୀରେ ଥିବା ପାକିସ୍ତାନର ହାଇ କମିଶନର ସୋହିଲ ମହମ୍ମଦଙ୍କୁ ପାକିସ୍ତାନ ନିଜ ଦେଶକୁ ଡକାଇ ନେଇଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର