ନୂଆଦିଲ୍ଲୀ: ବିଭ୍ରାନ୍ତିକର ସୂଚନା ପୋଷ୍ଟ୍ କରାଯାଉଥିବା ଘଟଣା ଯୋଗୁଁ ଭାରତ ସରକାର ଓ ଟୁଇଟର୍ ମଧ୍ୟରେ ବିବାଦ ଚାଲିଥିବା ବେଳେ କେତେକ ଅଗ୍ରଣୀ ରାଜନେତା ଓ ସାଂସଦ ସ୍ୱଦେଶୀ ଆପ୍ ‘କୁଉ’ରେ ସେମାନଙ୍କୁ ଅନୁସରଣ କରିବା ଲାଗି ଜନତାଙ୍କୁ ଅନୁରୋଧ କରିଛନ୍ତି।
ନୂତନ କୃଷି ଆଇନ ଏବଂ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ବିଭ୍ରାନ୍ତିକର ସୂଚନା ପୋଷ୍ଟ୍ କରାଯାଉଥିବା ଅଭିଯୋଗ କରି ୧,୧୦୦ରୁ ଅଧିକ ଆକାଉଣ୍ଟ୍ ହଟାଇ ଦେବା ଲାଗି ସରକାର ଟୁଇଟର୍କୁ ଆଦେଶ ଦେଇଥିଲେ।
କେତେକ ଆଇନର ପ୍ରାସଙ୍ଗିକତା ନାହିଁ ବୋଲି ହୃଦ୍ବୋଧ ହେବାରୁ ସରକାରଙ୍କ ଆଦେଶନାମା ସହ ପୂର୍ଣ୍ଣ ସହମତ ହେବନାହିଁ ବୋଲି ବୁଧବାର ଦିନ ଟୁଇଟର୍ କରିଥିବା ଏକ ପୋଷ୍ଟ୍ ନରେନ୍ଦ୍ର ମୋଦୀ ସରକାରଙ୍କୁ କ୍ଷୁବ୍ଧ କରିଛି।
ଏଥିରେ ଟୁଇଟର୍ ଲେଖିଥିଲା, ବାକ୍ ସୁରକ୍ଷା ଏବଂ ମତ ପରିପ୍ରକାଶକୁ ସୁରକ୍ଷା ଦେବାଲାଗି ଉଦ୍ଦିଷ୍ଟ ଆମ ନୀତି ପ୍ରତି ଦୃଷ୍ଟି ଦେଇ କେତେକ ଗଣମାଧ୍ୟମ ପ୍ରତିଷ୍ଠାନ, ସାମ୍ବାଦିକ, ସାମାଜିକର୍ମୀ ଏବଂ ରାଜନେତାମାନଙ୍କ ଆକାଉଣ୍ଟ୍ଗୁଡ଼ିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ।
ଟୁଇଟର୍ର ଏହି ପୋଷ୍ଟ୍କୁ ନେଇ ଶୀର୍ଷସ୍ତରୀୟ ଅଧିକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବୋଲି ‘ଟୁଇଟର୍’ର ପ୍ରତିଦ୍ୱନ୍ଦ୍ୱୀ ପ୍ଲାଟ୍ଫର୍ମ ‘କୁଉ’ ଜରିଆରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ବିଳମ୍ବିତ ବୁଧବାରେ କହିଛି।
/sambad/media/post_attachments/wp-content/uploads/2021/02/twitter.jpg)
ଭାରତ ସରକାର କହିଛନ୍ତି, ନିଜ ନିୟମ ଏବଂ ମାର୍ଗଦର୍ଶିକ ପ୍ରସ୍ତୁତ କରିବାରେ ଟୁଇଟର୍କୁ କେହି ବାଧା ଦେଉନାହିଁ। କିନ୍ତୁ, ନିଜର ନିୟମ ଓ ମାର୍ଗଦର୍ଶିକା ଥିଲେ ମଧ୍ୟ ଭାରତର ପାର୍ଲାମେଣ୍ଟ୍ କରିଥିବା ଆଇନକୁ ଟୁଇଟର୍ ମାନିବା ଉଚିତ।
ଜର୍ମାନ୍ ଡାଟାବେସ୍ ପ୍ରତିଷ୍ଠାନ ‘ଷ୍ଟାଟିଷ୍ଟା’ ହିସାବ ଅନୁସାରେ, ଗତ ମାସ ସୁଧା ଭାରତରେ ୧୭.୫ ନିୟୁତ ଟୁଇଟର୍ ବ୍ୟବହାରକାରୀ ଥିଲେ। ତେଣୁ, ସରକାର ଓ ଟୁଇଟର୍ ମଧ୍ୟରେ ବିବାଦ ବଢ଼ି ଚାଲିଥିବାରୁ ଅନେକ ଅଗ୍ରଣୀ ଭାରତୀୟ ରାଜନେତା ଏବଂ ବ୍ୟବହାରକାରୀମାନେ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ‘କୁଉ’ରେ ଯୋଗଦେଇଛନ୍ତି। ‘କୁଉ’ ହେଉଛି ଗତବର୍ଷ ଆରମ୍ଭ ହୋଇଥିବା ସ୍ୱଦେଶରେ ବିକଶିତ ଟୁଇଟର୍ ଭଳି ଏକ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ।
କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍, ରାଜ୍ୟସଭା ସଦସ୍ୟ ସମ୍ବିତ ପାତ୍ର, ବିଜେପିର ସାଧାରଣ ସମ୍ପାଦକ ଏବିଏଲ୍ ସନ୍ତୋଷ, ଦକ୍ଷିଣ ବେଙ୍ଗାଲୁରୁ ସାଂସଦ ତେଜସ୍ୱୀ ସୂର୍ଯ୍ୟ ଆଦି ‘କୁଉ’ରେ ଯୋଗ ଦେଇଛନ୍ତି।