କେରଳ ସରକାର-ରାଜ୍ୟପାଳ ବିବାଦ : କଳାମଣ୍ଡଳମ ବିଶ୍ବବିଦ୍ୟାଳୟର କୁଳାଧିପତି ପଦରୁ ବିଦା ହେଲେ ରାଜ୍ୟପାଳ

ତିରୁଅନନ୍ତପୁରମ୍ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଗୁରୁବାର ଦିନ କେରଳ ସରକାର କଳାମଣ୍ଡଳମ୍ ଡିମଡ୍-ଟି-ବି ୟୁନିଭର୍ସିଟିର କୁଳପତି ପଦରୁ ହଟାଇ ଦେଇଛନ୍ତି । ଏହା ଫଳରେ କେରଳ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଆହୁରି ବଢିବାର ଆଶଙ୍କା ଦେଖାଦେଇଛି ।

ଦକ୍ଷିଣ ଭାରତର ତିନୋଟି ଅଣ-ବିଜେପି ଶାସିତ ଦକ୍ଷିଣ ରାଜ୍ୟରେ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି ।

ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କୁ ଫେରାଇ ନେବାକୁ ଡିଏମକେ ଦାବି କରିଛି । କେରଳ ସରକାର ରାଜ୍ୟପାଳ ଖାଁଙ୍କୁ ରାଜ୍ୟ ବିଶ୍ୱବିଦ୍ୟାଳୟର କୁ​ଳାଧିପତି ପଦରୁ ହଟାଇବାକୁ ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଆଣିବାକୁ ଯାଉଛି । ଅନ୍ୟପକ୍ଷରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରାଜନ ଅଭିଯୋଗ କରିଛନ୍ତିଯେ  ତାଙ୍କ ଫୋନ୍ ଟ୍ୟାପ୍ କରାଯାଉଛି ।

 

ଗତ ମାସରେ କେରଳର ଏପିଜେ ଅବଦୁଲ କାଲାମ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତିକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ରାଜ୍ୟ ପାଳ କେରଳର ୧୧ଟି ବିଶ୍ବବିଦ୍ୟାଳର କୁଳପତିଙ୍କ ଇସ୍ତଫା ମାଗିଥିଲେ । ଏହା ପରେ ବିବାଦ ବଢିଥିଲା । ରାଜ୍ୟପାଳ ଖାଁଙ୍କୁ କୁଳାଧିପତି ପଦରୁ ହଟାଇବାକୁ ବୁଧବାରଦିନ କେରଳ କ୍ୟାବିନେଟ ଏକ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା । ରାଜ୍ୟପାଳଙ୍କ ବଦଳରେ ବରିଷ୍ଠ ଶିକ୍ଷାବିତ୍ ମାନଙ୍କୁ କୁଳାଧିପତି ନିଯୁକ୍ତି ପାଇଁ କ୍ୟାବିନେଟ ସୁପାରିଶ କରିଛି ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ସମ୍ବନ୍ଧିତ ଖବର