ବେଜିଂ : ଗୃହବନ୍ଦୀ ଗୁଜବ ମଧ୍ୟରେ ସର୍ବସାଧାରଣରେ ଦେଖାଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ । ଉଜବେକିସ୍ତାନ ଗସ୍ତ ପରେ ସେ ପ୍ରଥମ ଥର ପାଇଁ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହା ଫଳରେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାର ଅବସାନ ହୋଇଛି ।
ମଙ୍ଗଳବାରଦିନ ବେଜିଂରେ ଅନୁଷ୍ଠିତ ହୋଇଥିବା ଏକ ପ୍ରଦର୍ଶନୀରେ ସି ଜିନପିଙ୍ଗ୍ ଯୋଗ ଦେଇଥିଲେ । ତାଙ୍କ ସହିତ ଚୀନର କେତେକ ବରିଷ୍ଠ ନେତା ଯେପରିକି ପ୍ରିମିୟର ଲି କେକିଆଙ୍ଗ, ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟି ସଦସ୍ୟ ଲି ଝାନସୁ, ଓ୍ବାଙ୍ଗ ୟାଙ୍ଗ୍ ଯୋଗ ଦେଇଥିଲେ ।
ଗତ ସପ୍ତାହରେ ସି ଜିନପିଙ୍ଗଙ୍କୁ ଚୀନ ସେନା ଗୃହବନ୍ଦୀ କରିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଚୀନ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । କେତେକ ୟୁଜର୍ ଲେଖିଥିଲେ ଯେ ଚୀନ ସେନା ଶାସନକୁ ଅକ୍ତିଆର କରିଛି ଓ ଲି କ୍ବାଓମିଙ୍ଗ ଚୀନର ନୂଆ ରାଷ୍ଟ୍ରପତି ହୋଇଛନ୍ତି ।
ଚୀନ ଉପରେ ବିଶେଷଜ୍ଞ ମନେକରାଯାଉଥିବା ସାମ୍ବାଦିକା ଜେନିଫର ଜେଙ୍ଗ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିବା ସହ ଲେଖିଥିଲେ “ ୨୨ ତାରିଖରେ ଚୀନ ସେନା (ପିଏଲଏ)ର ଅନେକ ଗାଡ଼ି ବେଜିଂ ଅଭିମୁଖେ ଯାତ୍ରା କରିଥିଲା । ଗୁଜବ ହେଉଛି ଯେ ସି ଜିନପିଙ୍ଗଙ୍କୁ ପିଏଲଏର ମୁଖ୍ୟ ପଦରୁ ବିଦା କରାଯାଇଛି ଓ ତାଙ୍କୁ ଗୃହବନ୍ଦୀ କରାଯାଇଛି ।“ କିନ୍ତୁ ପରେ ସେ ଏହି ଖବରର ସତ୍ୟତା ନାହିଁ ବୋଲି ଟୁଇଟ କରିଥିଲେ ।