ସବୁବେଳେ ମୁକ୍ତ ଓ ନିରପେକ୍ଷ ନୀତି ଗ୍ରହଣ କରିଆସିଛୁ : ଫେସବୁକ

ନୂଆଦିଲ୍ଲୀ : ଭାରତରେ ଏକ ରାଜନୈତିକ ବିବାଦର କେନ୍ଦ୍ରରେ ରହିଥିବା ସୋସିଆଲ ମିଡିଆ କମ୍ପାନି ଫେସବୁକ ପକ୍ଷରୁ ଆଜି ଏକ ବୟାନ ଜାରି କରି କୁହାଯାଇଛି ଯେ ଫେସବୁକ ଏକ ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ସଂଗଠନ ।

ଗତ କିଛି ଦିନ ଧରି ଆମ ନୀତିର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଯାଉଛି । କିନ୍ତୁ ଫେସବୁକ ସବୁବେଳେ ଘୃଣା ଭାବନାଠାରୁ ଦୂରରେ ରହିଆସିଛି । କମ୍ପାନିର କର୍ମଚାରୀମାନେ ବିବିଧ ରଜନୈତିକ ମତବାଦ ସଂପର୍କରେ ଜାଣିଥିଲେ ମଧ୍ୟ ନିରପେକ୍ଷ ନୀତି ଅବଲମ୍ବନ କରିଥାନ୍ତି । ଯେକୌଣସି ବିଷୟବସ୍ତୁ ସମ୍ପର୍କରେ ନିଆଯାଉଥିବା ନିଷ୍ପତ୍ତି ଜଣେ ବ୍ୟକ୍ତି ନେଇ ନଥାନ୍ତି ବରଂ ଏକ ଟିମ କରିଥାଏ ।

ଗତକାଲି ଭାରତୀୟ ସଂସଦର ସୂଚନା ପ୍ରଯୁକ୍ତି ସଂପର୍କିତ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ଫେସବୁକକୁ ଏକ ସମନ ପଠାଯାଇଥିଲା । ଫେସବୁକ ନିଜର ଘୃଣା ଭାଷଣ ସଂପର୍କିତ ନିୟମ କେତେକ ବିଜେପି ନେତାଙ୍କ ଉପରେ କୋହଳ କରୁଥିବା ଅଭିଯୋଗରେ ଏହି ସମନ ପଠାଯାଇଛି । ଆସନ୍ତା ସେପ୍ଟେମ୍ବର ୨ରେ ହାଜର ହେବାକୁ ଫେସବୁକ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ଫେସବୁକ ନୁହେଁ, କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ଅଧିକାରୀମାନଙ୍କୁ ମଧ୍ୟ ଉପରୋକ୍ତ ତାରିଖରେ ଉପସ୍ଥିତ ରହିବାକୁ ସ୍ଥାୟୀ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ନାଗରିକଙ୍କ ସ୍ୱାର୍ଥରକ୍ଷା ଏବଂ ସୋସିଆଲ ମିଡିଆର ଦୁରୁପଯୋଗ ରୋକିବାକୁ ସରକାର କି କି ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ ମନ୍ତ୍ରାଳୟକୁ କୁହାଯିବ ।

ସମ୍ବନ୍ଧିତ ଖବର