ଦେଶରେ ବଢୁଛି କୋଭିଡ୍‌ ମାମଲା: ସଂକ୍ରମଣ ରୋକିବାକୁ ୬ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ମାମଲାରେ ବୃଦ୍ଧି ଘଟିବା ଘଟଣା କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ୬ଟି ରାଜ୍ୟରେ କୋଭିଡ୍‌ ମାମଲା ବଢ଼ୁଥିବାରୁ ହଠାତ ବଢ଼ୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବୁଧବାର ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ଚିଠି ଲେଖି ପରୀକ୍ଷା, ଚିକିତ୍ସା, ଟ୍ରାକିଂ ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ଚିଠିରେ କୁହାଯାଇଛି ଯେ, କିଛି ରାଜ୍ୟରେ ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ସୂଚାଉ ଥିବା ଅଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି ଏବଂ ମହାମାରୀ ବିରୋଧରେ ଲଢ଼େଇରେ ଏପର୍ଯ୍ୟନ୍ତ ହାସଲ ହୋଇଥିବା ସଫଳତାକୁ ନ ହରାଇ ସଂକ୍ରମଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ବିପଦ ଆକଳନ ଭିତ୍ତିକ ଆଭିମୁଖ୍ୟ ଅନୁସରଣ କରିବାର ଆବଶ୍ୟକତା ରହିଛି।

ଗୁରୁବାର ସକାଳେ ଅପଡେଟ୍‌ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ୪ ମାସର ବ୍ୟବଧାନ ପରେ ଗୋଟିଏ ଦିନରେ ୭୦୦ରୁ ଅଧିକ କୋଭିଡ୍‌ ମାମଲା ରେକର୍ଡ କରାଯାଇଛି; ଯାହା ଫଳରେ ସକ୍ରିୟ ମାମଲା ସଂଖ୍ୟା ୪,୬୨୩କୁ ବୃଦ୍ଧି ପାଇଛି। ଗତ ବର୍ଷ ନଭେମ୍ବର ୧୨ରେ ଦେଶରେ ୭୩୪ ଟି ମାମଲା ରେକର୍ଡ କରାଯାଇଥିଲା।
ଚିଠିରେ କୁହାଯାଇଛି ଯେ, ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରମାନେ କଠୋର ନଜର ରଖିବା ସହ ଆବଶ୍ୟକ ଏବଂ ସ୍ଥଳ ବିଶେଷରେ ଆଗୁଆ ପଦକ୍ଷେପ ନେବା ଜରୁରୀ। ମାଇକ୍ରୋ ସ୍ତରରେ (ଜିଲ୍ଲା ଓ ଉପଜିଲ୍ଲା) କୋଭିଡ୍‌ ସ୍ଥିତି ଅନୁଧ୍ୟାନ କରିବା ଏବଂ କୋଭିଡ୍‌-୧୯ର ତୁରନ୍ତ ଏବଂ ପ୍ରଭାବଶାଳୀ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବା ପାଇଁ ରାଜ୍ୟଗୁଡ଼ିକୁ ଚିଠିରେ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ଶନିବାର ଦିନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି କେତେକ ରାଜ୍ୟରେ କୋଭିଡ୍‌ ପଜିଟିଭ୍‌ ହାର ଧୀରେ ଧୀରେ ବୃଦ୍ଧି ପାଉଥିବା ଦର୍ଶାଇଥିଲେ। ଏହାକୁ ଚିନ୍ତାଜନକ ପ୍ରସଙ୍ଗ ବୋଲି କହିବା ସହ ଏହାର ତୁରନ୍ତ ସମାଧାନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର େଓ୍ଵବସାଇଟ ଅନୁଯାୟୀ, ସକ୍ରିୟ ମାମଲା ବର୍ତ୍ତମାନ ସମୁଦାୟ ସଂକ୍ରମଣର ୦.୦୧ ପ୍ରତିଶତ ହୋଇଥିବା ବେଳେ ଜାତୀୟ କୋଭିଡ୍‌ ଆରୋଗ୍ୟ ହାର ୯୮.୮୦ ପ୍ରତିଶତ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର