ଶ୍ରୀନଗର: ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈଶ୍‌-ଏ-ଅହମ୍ମଦ୍‌ର ମୁଖ୍ୟ ନିହତ ହୋଇଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ରବିବାର ସନ୍ଧ୍ୟା ପ୍ରାୟ ୭: ୩୦ ସମୟରେ ପାକିସ୍ତାନ ସେନା ତାଙ୍କୁ ରାଓ୍ଵଲପିଣ୍ଡି ସେନା ହସ୍‌ପିଟାଲ୍‌ରୁ ବାହାବଲ୍‌ପୁର ଅଞ୍ଚଳର ଗୋଥ୍‌ ଘାନ୍ନି ଠାରେ ଥିବା ଜୈଶ୍‌ କ୍ୟାମ୍ପ୍‌କୁ ସ୍ଥାନାନ୍ତର କରିଛି।

Advertisment

ଆଝାର ସ୍ଥାନାନ୍ତର ହୋଇଛନ୍ତି ବୋଲି ଖବର ମିଳିବାର ଅଳ୍ପ ସମୟ ପରେ ଜୈଶ୍‌ ଏକ ବିବୃତିରେ ଇମ୍ରାନ୍‌ ଖାଁ ସରକାରଙ୍କୁ ସମାଲୋନା କରି କହିଛି କି, ଭାରତ ଓ ଆନ୍ତର୍ଜାତିକ ସମୁଦାୟ ଚାପରେ ସରକାର ମୁଣ୍ଡ ନୁଅାଁଇଛନ୍ତି।

ଆଝାର ବୃକ୍କଜନିତ ରୋଗରେ ଆକ୍ରାନ୍ତ ହୋଇ କେତେ ମାସ ହେବ ରାଓ୍ଵଲପିଣ୍ଡି ଆର୍ମି ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

୪୦ ଜଣ ଯବାନ୍‌ ସହିଦ ହୋଇଥିବା ସିଆର୍‌ପିଏଫ୍‌ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଆଝାରଙ୍କ ଅତିରିକ୍ତ ସୁରକ୍ଷା ନିମନ୍ତେ ୧୦ ପାକିସ୍ତାନ ସ୍ପେସାଲ୍‌ ସର୍ଭିସ୍‌ ଗ୍ରୁପ୍‌ କମାଣ୍ଡୋ ଯୋଗାଇ ଦିଆଯାଇଥିଲା।

ରବିବାର ବିବୃତିରେ ଜୈଶ୍‌ କହିଛି ଆଝାର ବଞ୍ଚିଛନ୍ତି ଓ ସୁସ୍ଥ ହେଉଛନ୍ତି। ଭାରତୀୟ ବାୟୁସେନା ବାଲାକୋଟ୍‌ ଠାରେ ତା’ର ତାଲିମ ଶିବିରରେ ଆକ୍ରମଣ କରିଥିବା କଥା ଜୈଶ୍‌ ସ୍ୱୀକାର କରିଥିଲେ ବି ସେଥିରେ କେହି ମୃତାହତ ହୋଇଥିବା କଥାକୁ ଅସ୍ୱୀକାର କରିଛି।