ଶେଷରେ ମୁହଁ ଖୋଲିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌; କହିଲେ, ଭାରତ ଯଦି ଆକ୍ରମଣ କରେ ତେବେ ଆମେ ମଧ୍ୟ ପ୍ରତି ଆକ୍ରମଣ କରିବୁ

ଇସ୍‌ଲାମାବାଦ: ଗତ ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମା ଠାରେ ସଂଘଟିତ ଆତଙ୍କବାଦୀ ହାମ୍‌ଲାରେ ୪୦ ଜଣ ସିଆରପିଏଫ୍‌ ଯବାନ ଶହୀଦ ହେବା ପରଠାରୁ ଏଯାବତ୍‌ ନିରବ ରହି ଆସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ପ୍ରଥମ ଥର ପାଇଁ ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଛନ୍ତି, ବିନା କୌଣସି ପ୍ରମାଣରେ ଓ ବିନା କୌଣସି କାରଣରେ ଏହି ମାମଲାରେ ଭାରତ ପାକିସ୍ତାନକୁ ଛନ୍ଦୁଛି।

ପାକିସ୍ତାନ ରେଡ଼ିଓ ଓ ଟିଭିରେ ପାକିସ୍ତାନୀମାନଙ୍କୁ ସମ୍ବୋଧନ କରି ସେନା ସମର୍ଥିତ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି, ‘ବିନା କୌଣସି ପ୍ରମାଣରେ ପୁଲଓ୍ଵାମା ଆକ୍ରମଣ ଘଟଣାରେ ପାକିସ୍ତାନକୁ ଭାରତ ଯେପରି ଦୋଷୀ ଭାବେ ଦର୍ଶାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାରେ ଭାରତ ସରକାର ଯଦି ପାକିସ୍ତାନର ସଂପୃକ୍ତି ନେଇ କୌଣସି ପ୍ରମାଣ ଦିଅନ୍ତି, ତେବେ ଆମେ ତା’ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ହେଲେ, ଭାରତ ସରକାର ବିନା କୌଣସି କଥାବାର୍ତ୍ତାରେ ଯେପରି ବାରମ୍ବାର ଯୁଦ୍ଧ ଧମକ ଦେଉଛନ୍ତି ତାହା ନୀନ୍ଦନୀୟ।

ତବେ, ଭାରତ ପକ୍ଷରୁ ଯଦି ଆମ ଉପରେ ଆକ୍ରମଣ ହୁଏ, ତେବେ ଆମେ ଚୁପ୍‌ ବସିବୁ ନାହିଁ। ଆମେ ମଧ୍ୟ ପ୍ରତି ଆକ୍ରମଣ ଜରିଆରେ ଏହାର ଜବାବ ଦେବୁ। ଆକ୍ରମଣର ଜବାବ ଦେବାକୁ ଯାଇ ଆମେ ପ୍ରତି ଆକ୍ରମଣ କରିବୁ। ହେଲେ, ଉଭୟ ଦେଶ ମଧ୍ୟରେ ଯଦି ଏପ୍ରକାର ପରିସ୍ଥିତି ଉପୁଜେ ତେବେ ଏହାର ଶେଷ ପରିଣତି କ’ଣ ହେବ; ତା’ର ଉତ୍ତର କେବଳ ଈଶ୍ୱର ହିଁ ଦେଇ ପାରିବେ ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌।

ସମ୍ବନ୍ଧିତ ଖବର