କୋଲକାତା: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଅମିତ ମିତ୍ର ରାଜ୍ୟ ଅର୍ଥ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏଥିସହିତ ଅସୁସ୍ଥତା କାରଣରୁ ସେ ସକ୍ରିୟ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବେ। ନିର୍ବାଚିତ ନହୋଇ ଅର୍ଥମନ୍ତ୍ରୀ ପଦରେ ରହିବା ଅବଧି ଆଗାମୀ ନଭେମ୍ବର ମାସ ୪ ତାରିଖରେ ପୂରଣ ହେବ। ସ୍ବାସ୍ଥ୍ୟଗତ କାରଣରୁ ୭୪ ବର୍ଷୀୟ ମିତ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନଥିଲେ। ଏପରିକି ଉପ-ନିର୍ବାଚନ ଲଢ଼ିବାକୁ ମଧ୍ୟ ସ୍ପଷ୍ଟ ମନା କରିଥିଲେ।

Advertisment

ଅସୁସ୍ଥତା କାରଣରୁ ରାଜନୀତି ଏବଂ ପ୍ରଶାସନ ଦାୟିତ୍ବରେ ନ ରହିବା ପାଇଁ ସେ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଅବଗତ କରାଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଧ୍ୟ କରିବାରୁ ମେ ମାସରେ ତୃଣମୂଳ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ମିତ୍ର ରାଜ୍ୟ ଅର୍ଥମନ୍ତ୍ରୀ ପଦ ସମ୍ଭାଳିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ‌ମିତ୍ର ବଜେଟ୍‌ ଅଧିବେଶନରେ ରାଜ୍ୟ ବଜେଟ ଉପସ୍ଥାପନ କରିପାରି ନଥିଲେ। ୨୦୧୧ ମସିହାରେ ତୃଣମୂଳ କ୍ଷମତାକୁ ଆସିବା ପରଠାରୁ ମମତାଙ୍କ ସରକାରରେ ଅମିତ ଅର୍ଥମନ୍ତ୍ରୀ ରହି ଆସିଛନ୍ତି ଏବଂ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ସେ ଇସ୍ତଫା ଦେଲେ ମଧ୍ୟ ତାଙ୍କୁ ଅର୍ଥ ବିଭାଗର ଉପଦେଷ୍ଟା ରଖାଯିବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।