ଚର୍ଚ୍ଚାରେ ସାଂସଦଙ୍କ ଅନୁବାଦ: ଅଡୁଆରେ ଅମିତ ଶାହ

‘ମୋଦି ଦେଶକୁ ବରବାଦ କରିଦେବେ’

ବେଙ୍ଗାଲୁରୁ: ଆସନ୍ତା ମେ’ ୧୨ରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ର‍୍ୟାଲିରେ ସମ୍ବୋଧନ ବେଳେ ଦଳୀୟ ସାଂସଦଙ୍କ ଭୁଲ କନ୍ନଡ଼ ଅନୁବାଦ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଅଡୁଆରେ ପକାଇଛି। ଶାହଙ୍କ ଭାଷଣକୁ ଭୁଲ ଅନୁବାଦ କରି ପ୍ରଧାନମନ୍ତ୍ରୀ ମୋଦି ଗରିବ ଓ ଦଳିତଙ୍କ ପାଇଁ କିଛି କରିବେନି, ସେ ଦେଶକୁ ବରବାଦ କରିଦେବେ ବୋଲି ସାଂସଦ କହିବା ପରେ ଦଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅପରପକ୍ଷେ, ଭୁଲରେ ହେଉ ପଛେ ବିଜେପି ଏବେ ସତକଥା ଲୋକଙ୍କୁ କହୁଛି ବୋଲି କଂଗ୍ରେସ ଆକ୍ଷେପ କରିଛି। ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍‌ .ୟେଦୁରପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ କହି ଅମିତ ଶାହା ଚର୍ଚ୍ଚାକୁ ଆସିଥିବା ବେଳେ ତାଙ୍କ ଭାଷଣର କଦର୍ଥ ଅନୁବାଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଆଣିବା ଘଟଣା ବିଜେପିର ଚିନ୍ତା ବଢ଼ାଇଦେଇଛି। ମଙ୍ଗଳବାର ଦଭଙ୍ଗେରର ଏକ ର‍୍ୟାଲିକୁ ସମ୍ବୋଧନ କରୁଥିବା ବେଳେ ଅମିତ ଶାହଙ୍କ ହିନ୍ଦୀ ଭାଷଣକୁ ବିଜେପି ସାଂସଦ ପ୍ରହଲ୍ଲାଦ ଯୋଶୀ କନ୍ନଡ଼ରେ ଅନୁବାଦ କରି ଲୋକଙ୍କ ନିକଟରେ ପହଞ୍ଚାଉଥିଲେ। ଏହି ସମୟରେ ଅମିତ ଶାହ କହିଥିଲେ ଯେ, ଏଠାକାର ସରକାର ସମ୍ପୂର୍ଣ୍ଣ ଭାବେ ଦଳିତ ଓ ଗରିବ ବିରୋଧୀ। ଏମାନେ କୌଣସି ଉନ୍ନତି କରିବେ ନାହିଁ, ତେଣୁ ଆପଣମାନେ ବିଜେପିକୁ ଭୋଟ ଦିଅନ୍ତୁ। କିନ୍ତୁ ସାଂସଦ ଯୋଶୀ ଏହାର ଭୁଲ ଅନୁବାଦ କରି ମୋଦି ଗରିବ ଓ ଦଳିତଙ୍କ ପାଇଁ କିଛି କରିବେନି ବୋଲି କହିଥିଲେ। ଉଲ୍ଲେଖ ଥାଉ କି, ହିନ୍ଦୀଭାଷୀ ନେତା ନିର୍ବାଚନ ପ୍ରଚାର ପାଇଁ ଦକ୍ଷିଣକୁ ଆସି ଏମିତି ଅନେକ ଥର ହଟହଟା ହେବାର ନଜିର ରହିଛି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ଦେଇଥିବା ହିନ୍ଦୀ ଭାଷଣକୁ ଅନେକ ଜନତା ବୁଝିପାରିନଥିଲେ। ଚିତ୍ର ଦୁର୍ଗରେ ଶ୍ରୀ ଶାହା ଲୋକଙ୍କୁ ପଚାରିଥିବା ପ୍ରଶ୍ନ ‘ୟେଦୁରପ୍ପାଙ୍କୁ ଆପଣ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି କି’ର ଉତ୍ତରରେ ଲୋକେ କିଛି ବୁଝି ନପାରି ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର