ଅମିତ ଶାହଙ୍କ ଘୋଷଣା, ବିହାରରେ ବିଜେପି-ଜେଡିୟୁ ମେଣ୍ଟ କାଏମ ରହିବ

ନୀତୀଶଙ୍କ ନେତୃତ୍ବରେ ଲଢ଼ାଯିବ ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ବିହାରରେ ବିଜେପି-ଜେଡି(ୟୁ) ମେଣ୍ଟ ଜାରି ରହିବ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ହିଁ ୨୦୨୦ ବିହାର ବିଧାନସଭା ନିର୍ବାଚନ ଲଢ଼ାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କହିବା ପରେ ମେଣ୍ଟକୁ ନେଇ ଦେଖା ଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ଉଭୟ ଦଳ ମଧ୍ୟରେ ମତପାର୍ଥକ୍ୟ ଥାଇପାରେ, ମାତ୍ର ଏହା ମେଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶାହ କହିଛନ୍ତି। ଏନ୍‌ଡିଏ ମେଣ୍ଟ ଆସନ୍ତା ବିଧାନସଭା ନିର୍ବାଚନ ନୀତୀଶ କୁମାରଙ୍କ ନେତୃତ୍ବରେ ହିଁ ଲଢ଼ିବ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବକୁ ଏନ୍‌ଡିଏ ସମ୍ମାନ ଜଣାଇ ଆସୁଛି। ସୂଚନାଯୋଗ୍ୟ, ବିହାର ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହେବା ନେଇ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରି ଆସୁଥିଲେ। ଆଗାମୀ ଦିନରେ ମେଣ୍ଟ ରହିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଏମିତିକି ଗତ ସପ୍ତାହରେ ପାଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି ମହୋତ୍ସବରେ ନୀତିଶ କୁମାର ଯୋଗ ଦେଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏବଂ ଅନ୍ୟାନ୍ୟ ବିଜେପି ନେତାମାନେ ବର୍ଜନ କରିଥିଲେ। ନୀତୀଶ କୁମାରଙ୍କ ରାବଣପୋଡ଼ି କାର୍ଯ୍ୟକ୍ରମରେ ବିହାର କଂଗ୍ରେସ ମୁଖ୍ୟ ମଦନ ମୋହନ ଝାଙ୍କ ଉପସ୍ଥିତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ବିଜେପି-ଜେଡି(ୟୁ) ମେଣ୍ଟ ତିଷ୍ଠି ରହିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ଆଜି ଅମିତ ଶାହଙ୍କ ବୟାନ ଏ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି।

ସମ୍ବନ୍ଧିତ ଖବର