୨୮ତାରଖରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ବର: ଚଳିତ ମାସ ୨୮ତାରଖରୁ ୨ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିବେ ବୋଲି ଜଣାଯାଇଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୮ ତାରିଖ ଅପରାହ୍ଣରେ ଭୁବନେଶ୍ବରରେ ଏକ ବିଶାଳ ସାଧାରଣସଭାରେ ଅମିତ ଶାହ ଉଦବୋଧନ ଦେବେ । ଏହି ସଭାରେ ସେ ସିଏଏ ସପକ୍ଷରେ ନିଜର ମତ ଉପସ୍ଥାପନ କରିବା ସହିତ ଲୋକଙ୍କୁ ସଚେତନ କରାଇବେ।

Image result for odisha bjp president
image source-dailyhunt

ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୯ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ତା’ଛଡ଼ା ସେ ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଏହାପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କର ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। କେନ୍ଦ୍ର ଗୃହମନ୍ତ୍ରୀଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଅମିତ ଶାହଙ୍କର ପ୍ରଥମ ଓଡ଼ିଶା ଗସ୍ତ।
ଉଲ୍ଲେଖଯୋଗ୍ୟ, ନାଗରିକ ସଂଶୋଧନ ଆଇନ ଲୋକସଭାରେ ପାସ୍ ହେବା ପରେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟସାରା ସଭା ଆୟୋଜନ ହୋଇଥିଲା। ଏଥିରେ ବିଭିନ୍ନ ନେତା ଯୋଗ ଦେଇ ପଦଯାତ୍ରା ମଧ୍ୟ କରିଥିଲେ । ଏହା ସହ ପ୍ରତେକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ ମଧ୍ୟ ହୋଇଥିଲା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଆଗାମୀ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର