ଅମିତ ଶାହା କରୋନା ସଂକ୍ରମିତ ହେବା ପରେ ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆଶଙ୍କା, ବୁଧବାରଦିନ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ ଶାହା

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ବୁଧବାରଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅମିତ ଶାହା ଯୋଗ ଦେଇଥିଲେ । ଫଳରେ କ୍ୟାବିନେଟର ଅନ୍ୟ କେତେକ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ସରକାରୀ ସୁତ୍ର ଅନୁସାରେ କ୍ୟାବିନେଟ ବୈଠକରେ ସାମାଜିକ ଦୂରତ୍ୱ ଓ ଅନ୍ୟ କୋଭିଡ-୧୯ ଗାଇଡ ଲାଇନର କଡ଼ାକଡ଼ି ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାହା କିମ୍ବା ଅନ୍ୟ କୌଣସି ମନ୍ତ୍ରୀଙ୍କ ସହ ହାତ ମିଳାଇନଥିଲେ । ଏହା ସହିତ ବୈଠକରେ ଯୋଗ ଦେଇଥିବା ମନ୍ତ୍ରୀମାନଙ୍କର ତାପମାତ୍ରା ଯାଞ୍ଚ, ଆରୋଗ୍ୟ ସେତୁ ଯାଞ୍ଚ କରାଯାଇଥିଲା । ଆହୁରି ମଧ୍ୟ ଏହି କ୍ୟାବିନେଟ ବୈଠକରେ ଅଧିକାଂଶ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଅମିତ ଶାହା କରୋନା ସଂକ୍ରମିତ ହୋଇଥିବା ଆଜି ନିଜେ ଟ୍ଵିଟ କରି ସୂଚନା ଦେଇଥିଲେ । ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ସମ୍ବନ୍ଧିତ ଖବର