ହିଂସା ପାଇଁ ବିହାର ଗସ୍ତ ବାତିଲ କଲେ ଅମିତ ଶାହ: ନୀତୀଶ କହିଲେ ହିଂସା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ନୂଆଦିଲ୍ଲୀ: ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ରାମ ନବମୀ ଶୋଭାଯାତ୍ରା ସମୟରେ ଭୟଙ୍କର ହିଂସା, ପୋଡ଼ାଜଳା ଓ ସଂଘର୍ଷ ହୋଇଛି। ଗୁରୁବାର ରାମ ନବମୀ ଦିନ ଆରମ୍ଭ ହୋଇଥିବା ହିଂସା ଶନିବାର ପର୍ଯ୍ୟନ୍ତ ଜାରି ରହିଛି। ମାମଲାରେ ପୁଲିସ ଶତାଧିକ ଲୋକଙ୍କୁ ଗିରଫ କରିଛି ଏବଂ ବିଭିନ୍ନ ସ୍ଥାନରେ ଧାରା ୧୪୪ ଜାରି ହୋଇଛି। ବିହାରର ସାସାରାମରେ ବି ହିଂସା ଉପୁଜିଛି। ସାମ୍ପ୍ରଦାୟିକ ହିଂସା ପାଇଁ ସାସାରାମରେ ୧୪୪ ଜାରି ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ସାସାରାମକୁ ତାଙ୍କ ଗସ୍ତ ବାତିଲ କରିଦେଇଛନ୍ତି। ପଶ୍ଚିମବଙ୍ଗ ହାୱଡ଼ାର ଶିବପୁର ଅଞ୍ଚଳ ଏବଂ ଅନ୍ୟ ସ୍ଥାନମାନଙ୍କରେ ପୁଲିସ ଡ୍ରୋନ ସର୍ଭେଲାନ୍ସ କରିଛି। ଶିବପୁରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ଏବଂ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ସାସାରାମରେ ସାମ୍ପ୍ରଦାୟିକ ହିଂସା ପାଇଁ ମୋଟ୍‌ ୪୫ ଜଣ ଗିରଫ ହୋଇଛନ୍ତି। ବିହାରର ନାଳନ୍ଦାରେ ମଧ୍ୟ ୧୪୪ ଧାରା ଜାରି ହୋଇଛି ଏବଂ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିବା ପରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ନାଳନ୍ଦାରେ ପୁଲିସ ୨୦ ଜଣଙ୍କୁ ଗିରଫ କରିଛି।

ବିହାର ହିଂସା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାସାରାମ ଏବଂ ବିହାର ଶରିଫରେ ରାମ ନବମୀ ଶୋଭାଯାତ୍ରା ସମୟରେ ସାମ୍ପ୍ରଦ‌ାୟିକ ହିଂସା ଦୁର୍ଭାଗ୍ୟପୂର୍ଣ୍ଣ। ଏଭଳି ଘଟଣା ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା ହୋଇଛି। କିନ୍ତୁ ଆମେ ଏଠାରେ ଏଭଳି ଘଟଣା ଚାଲିବାକୁ ଦେବୁନି। ନୀତୀଶ କହିଛନ୍ତି, ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ସଂକ୍ରାନ୍ତରେ ଖବର ନେବାକୁ ମୁଁ ଅଧିକାରୀଙ୍କୁ କହିଛି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନୀତୀଶ କହିଛନ୍ତି।

ସମ୍ବନ୍ଧିତ ଖବର