ଅମିତ ଶାହା କରୋନା ନେଗେଟିଭ

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସେ ନିଜେ ଏ ସମ୍ପର୍କରେ ଟ୍ଵିଟ କରି ସୂଚନା ଦେଇଛନ୍ତି ।
ଟ୍ଵିଟରରେ ସେ ଲେଖିଛନ୍ତି ଯେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଏଥିପାଇଁ ସେ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଆଉ କିଛିଦିନ ଏକାନ୍ତବାସରେ ରହିବେ ବୋଲି ଲେଖିଛନ୍ତି ।  ଏହା ସହିତ ମେଦାନ୍ତ ହସପିଟାଲରେ ତାଙ୍କ ଚିକିତ୍ସା କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

 

ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ନିଜେ ଏ ସମ୍ପର୍କରେ ଟ୍ଵିଟ କରି ସୂଚନା ଦେଇଥିଲେ । ତାଙ୍କ ଶରୀରରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ଗୁରୁଗାଁଓର ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ତାଙ୍କ ଆରୋଗ୍ୟକାମନା କରାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ସମ୍ବନ୍ଧିତ ଖବର